ରାଜ୍ୟରେ ଓ ଜିଲ୍ଲାର ବେଷ୍ଟ ଫରେଷ୍ଟର ଭାବେ ପୁରସ୍କୃତ ହୋଇଥିଲେ
ଡି ଏଫ୍ ଓ ଙ୍କ ପିସି ଲାଳସାରେ ବଳି ପଡିଲେ ଫରେଷ୍ଟର ?
ରିପୋର୍ଟ : ମଳୟ ମିଶ୍ର
ବଲାଙ୍ଗୀର : ଗତ ରବିବାର ସନ୍ଧ୍ୟାରେ ବଲାଙ୍ଗୀର ବନବିଭାଗ ରେଞ୍ଜ୍ ରେ କାର୍ଯ୍ୟରତ ଜଣେ ଫରେଷ୍ଟର ବ୍ୟାସଦେବ ସାହୁ ( ୫୯ ) ଅଫିସ୍ ପଛପଟର ସରକାରୀ କ୍ବାର୍ଟରରେ ବେକରେ ଫାଶୀ ଲଗାଇ ଝୁଲୁଥିବା ବେଳେ ବିଭାଗୀୟ ଏତଲାକ୍ରମେ ପୁଲିସ ପହଁଞ୍ଚି ତାଙ୍କର ମୃତଦେହକୁ ଉଦ୍ଧାର କରିଛି । ସ୍ଥାନୀୟ ଲକ୍ଷ୍ମୀଯୋର ଥାନାରେ ଏ ସମ୍ପର୍କରେ ଏକ ମାମଲା ଋଜୁ କରି ଶବ ବ୍ୟବଚ୍ଛେଦ କରାଇବା ସହ ତଦନ୍ତ କରୁଛି । ଘଟଣାସ୍ଥଳରେ ବଲାଙ୍ଗୀର ଡି ଏଫ ଓ ଅଜିତ ବିଶି , ବଲାଙ୍ଗୀର ଏସିଏଫ୍ ଓ ମାନସ ରଞ୍ଜନ ବେହେରା ,ରେଞ୍ଜର ନବୀନ ପଣ୍ଡା ପ୍ରମୁଖ ଅଧିକାରୀମାନଙ୍କ ସହ ତାଙ୍କ ପରିବାର ଲୋକେ ପହଞ୍ଚିଥିଲେ ।
ମୃତ ଫରେଷ୍ଟର ଜଣକ ଦୀର୍ଘବର୍ଷ ଧରି ଏହି ବଲାଙ୍ଗୀର ବନ ଡିଭିଜନର ବଲାଙ୍ଗୀର ରେଞ୍ଜ୍ – ୧ ରେ ଅବସ୍ଥାପିତ ରହିଥିଲେ । ମଝିରେ ଥରେ କିଛିଦିନ ପାଇଁ ନିକଟତମ ଦେଓଗାଁ’ ରେଞ୍ଜ୍ କୁ ବଦଳି ହୋଇ ଯାଇଥିଲେ ହେଁ ପୁଣି ବଲାଙ୍ଗୀର ରେଞ୍ଜକୁ ଆସିଥିଲେ । ପ୍ରକାଶଯୋଗ୍ୟ ଯେ , ବଲାଙ୍ଗୀର ଓ ଦେଓଗାଁ ଉଭୟ ରେଞ୍ଜ୍ ର ରେଞ୍ଜ ର ଦାୟିତ୍ବରେ ଜଣେ ଅଧିକାରୀ ନବୀନ ପଣ୍ଡା ଅଛନ୍ତି । ସେ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ରାଜ୍ୟ ପୁରସ୍କାର ପାଇଛନ୍ତି ଓ ଗତ ଅଗଷ୍ଟ ପନ୍ଦରରେ ଜିଲ୍ଲାର ବେଷ୍ଟ ଫରେଷ୍ଟର ଭାବେ ମଧ୍ୟ ପୁରଷ୍କୃତ ହୋଇଥିଲେ ।

ତାଙ୍କ ଘର ବଲାଙ୍ଗୀର ସହରରୁ ମାତ୍ର ପ୍ରାୟ ୫ କିମି ଦୂରସ୍ଥ ଖଲିଆପାଲି ଗ୍ରାମରେ । ଘରେ ତାଙ୍କର ପତ୍ନୀଙ୍କ ସମେତ ଦୁଇପୁଅ ଅଛନ୍ତି ଓ ସେମାନେ ବିବାହିତ । ସାନପୁଅ ମୁନେଶ ସାହୁ ଉକ୍ତ ରେଞ୍ଜ୍ ରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟରତ ଓ ସେମାନେ ଉକ୍ତ କ୍ବାର୍ଟରରେ ଦିନବେଳା ରହୁଥିଲେ । ତାଙ୍କ ଦ୍ବାରା ବିଭାଗୀୟ ବିଭିନ୍ନ ଯୋଜନାର ସରକାରୀ କାମ ହେଉଥିଲା । ତେବେ ସେ ଖୋଲାବଜାରରୁ ଅନେକଙ୍କ ଠାରୁ ଟଙ୍କା କରଜ କରିଥିବା ଓ ସେଥିପାଇଁ ଚିନ୍ତିତ ରହୁଥିବା ଚର୍ଚ୍ଚା ହେଉଛି । ଏପରିକି ସେ ଜଣକ ଠାରୁ ୩ ଲକ୍ଷ ଟଙ୍କା ଆଣି ନ ସୁଝିବାରୁ ତାଙ୍କ ବିରୋଧରେ ଏକ ଓକିଲ ନୋଟିସ ପଠାଯାଇଥିବା ଓ ଏହାର ଏକ କପି ଡିଏଫଓଙ୍କ ପାଖକୁ ଯିବାରୁ ସେ ତାହାକୁ ମୃତ ଫରେଷ୍ଟରଙ୍କ ରେଞ୍ଜରଙ୍କୁ ପଠାଇଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦେଇଥିବା ପ୍ରକାଶ । ଏହା ସହ ସେ ଅନେକଙ୍କ ପାଖରୁ ଟଙ୍କା ଆଣି ଦେଇଥିବା ଚେକ୍ ବା ଉ ନ୍ ସ ହେଇଥିବା ମଧ୍ୟ ଶୁଣାଯାଉଛି ।
ତେବେ ଏହିସବୁ ଏତେ ପରିମାଣର ଟଙ୍କା ସେ କେଉଁଥିପାଇଁ ଧାରକରଜ କରୁଥିଲେର କାରଣ ସ୍ବରୂପ କୁହାଯାଉଛି ଯେ ତାଙ୍କ ଜରିଆରେ କରାଯାଇଥିବା ବିଭାଗୀୟ କାମର ବିଲ୍ ଠିକ୍ ସମୟରେ ମିଳୁ ନ ଥିବାରୁ ସେ ବାଧ୍ୟହୋଇ ବାହାରଲୋକଙ୍କ ଠାରୁ ଏପରିକି ସୁଧରେ ଆଣି କୁଲିମଜୁରିଆଙ୍କୁ ପେମେଣ୍ଟ କରୁଥିଲେ । ବିଭାଗରୁ ଠିକ୍ ସମୟରେ ବିଲ୍ ନ ମିଳିବା ଓ ବିଳମ୍ବ ହେବାର କାରଣ ସ୍ବରୂପ ପିସି ବୋଲି ଚର୍ଚ୍ଚା ହେଉଛି । ତାଙ୍କର ଏହି କୁହାଯାଉଥିବା ଆତ୍ମହତ୍ୟା ଘଟଣାପରେ ଗଣମାଧ୍ୟମ ଆଗରେ ତାଙ୍କ ଭାଇ ଓ ପରିବାର ପକ୍ଷରୁ ତାଙ୍କ ଉପରେ ଉପରିସ୍ଥ ଅଧିକାରୀଙ୍କ ଚାପ ରହୁଥିବା ଓ ସେଥିପାଇଁ ଘରଲୋକେ ତାଙ୍କୁ ଏପରିକି ଚାକିରୀ ଛାଡିଦେବାକୁ ପରାମର୍ଶ ଦେଇଥିବା ପ୍ରକାଶ କରିଛନ୍ତି । କିନ୍ତୁ ଏ ସମ୍ପର୍କରେ ପଚରାଯିବାରୁ ଡିଏଫଓ ଏଭଳି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ।

ଉଲ୍ଲେଖଯୋଗ୍ଯ ଯେ ବଲାଙ୍ଗୀରରେ ଦୀର୍ଘବର୍ଷ ଧରି କେନ୍ଦୁପତ୍ର ଓ ବନବିଭାଗର ରେଞ୍ଜର , ଏସିଏଫ୍ ଇତ୍ୟାଦି ପଦରେ ରହିଥିବା ଓ ପଦୋନ୍ନତି ପାଇ ସଂପ୍ରତି ଗତ ୨୮ । ୪ । ୨୦୨୫ ତାରିଖରେ ବଲାଙ୍ଗୀର ଡିଏଫଓ ଭାବରେ ଅବସ୍ଥାପିତ ଅଜିତ ବିଶିଙ୍କ କାର୍ଯ୍ୟକାଳ ମଧ୍ୟରେ ବଲାଙ୍ଗୀର ବନବିଭାଗର ଚାରା ଉତ୍ପାଦନ ନର୍ସରୀ , କାମ୍ପା ବା ବିଭିନ୍ନ ସରକାରୀ ଯୋଜନାର ହରିଲୁଟ୍ ବୃଦ୍ଧି ପାଇଥିବା ସହିତ ପିସି ପରମ୍ପରା ନିରଙ୍କୁଶ ହୋଇଉଠିଥିବା ଚର୍ଚ୍ଚାରେ ରହିଛି ।

ତେଣୁ କିଛିଦିନ ତଳର ସ୍ବଳ୍ପ ସମୟ ନିମନ୍ତେ ବଦଳି ହୋଇଥିବା କଳାହାଣ୍ଡିର ଜଣେ ସିଭିଲ୍ କଲଚର ରେଞ୍ଜରଙ୍କ ଭବାନିପାଟଣାର ସରକାରୀ କ୍ବାର୍ଟରରେ ଆତ୍ମହତ୍ୟା ଘଟଣା ପଛରେ ସେହି ବିଭାଗର ରାୟଗଡା ଡିଏଫଓଙ୍କ ପିସି ଦାବିରେ ବିଲ୍ ଅଟକାଯାଇଥିବା ଅଭିଯୋଗ ପରି ଏହା ମଧ୍ୟ ଆଉ ଏକ ଅନୁରୂପ ଘଟଣା ବୋଲି ଚର୍ଚ୍ଚାର ବିଷୟ ହୋଇଛି । ଏଣୁ ଏହି ମୃତ ଫରେଷ୍ଟରଙ୍କ ପରିବାର ପକ୍ଷରୁ ଇଙ୍ଗିତ କରାଯାଇଥିବା ଉପରିସ୍ଥ ଅଧିକାରୀଙ୍କ ଚାପ ଅଭିଯୋଗର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି କରାଯାଇଛି ।
ଆବଶ୍ୟକ ସ୍ଥଳେ ଏହି ତଦନ୍ତକୁ କୌଣସି ରାଜନୈତିକ ଚାପରେ ବାଟବଣା କରା ନଯାଇ ଅଭିଯୁକ୍ତ ଉପରିସ୍ଥ ଅଧିକାରୀଙ୍କୁ ତଦନ୍ତର ପରିସରଭୁକ୍ତ କରାଯାଇ ଉକ୍ତ ସରକାରୀ ବନ ଅଧିକାରୀଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ଯ କରାଯିବା ନିମନ୍ତେ ଦାୟୀ କରାଯାଇ ଗିରଫ କରାଯିବାକୁ ତାଙ୍କ ପରିବାର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।






