ଜିଲ୍ଲା

ବଲାଙ୍ଗୀର ଜିଲ୍ଳା ଦାଦନପ୍ରବଣ ହେବାର କାରଣ

Email :1

ସରକାରୀ ଉଦାସୀନତା ନା ସର୍ଦ୍ଦାର ବହୁଳତା ?

ବଲାଙ୍ଗୀର : ବିଗତ ଦଶନ୍ଧି ଦଶନ୍ଧି ଧରି ବଲାଙ୍ଗୀର ଜିଲ୍ଲାରୁ ଦାଦନଚାଲାଣ ଜାରୀ ରହିଥିବା ଏକ ଅକାଟ୍ୟ ସତ୍ୟ । ସରକାରୀ ରିପୋର୍ଟ ବା ଶ୍ରମବିଭାଗର କାଗଜପତ୍ରରେ ଏହି ସଂଖ୍ୟା ଯେତେ ଥାଉନା କାହିଁକି , ବେଆଇନ ଭାବେ ଏଠାରୁ ଦାଦନଚାଲାଣର ପ୍ରକୃତତଥ୍ୟ ପ୍ରତିବର୍ଷ ଲୁଚାଯାଇ ଆସୁଛି । କାରଣ ଏହି ଜିଲ୍ଳାର ବ୍ଲକ୍ ବା ଅନ୍ୟାନ୍ୟ ବିଭାଗରେ ହେଉଥିବା ନିଶ୍ଚିତ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ବା ମନରେଗା ବା ଏବର ବିଭି ଜି ରାମଜୀର ନିୟୋଜିତ ଶ୍ରମିକମାନଙ୍କ ଦର୍ଶାଯାଇଆସୁଥିବା ଶ୍ରମଦିବସ ବା ମଷ୍ଟରରୋଲ୍ ଅଧିକାଂଶତଃ ମିଛ । ମୁଖ୍ୟତଃ ଏହି କାମ କରି ରୋଜଗାର କରୁଥିବା ଦିନମଜୁରିଆମାନେ ଦାଦନଶ୍ରମିକ ଓ ବର୍ଷର କେତେମାସ ସେମାନଙ୍କୁ ବାହାରକୁ ଓ ଏପରିକି ରାଜ୍ୟ ବାହାରକୁ ବେଆଇନ ଚାଲାଣ କରାଯାଇ ଆସୁଛି । ଏବଂ ଏହି ଜିଲ୍ଳାର ପ୍ରତ୍ୟେକ ବ୍ଲକ୍ ରେ ରହିଥିବା ଦାଦନଦଲାଲ ବା ସର୍ଦ୍ଦାରମାନେ ଏହି ମଣିଷବେପାରରେ ଜଡିତ । ସେମାନଙ୍କ ଠାରୁ ପୁଲିସ୍ , ଶ୍ରମବିଭାଗ ଓ ସ୍ଥଳବିଶେଷରେ ବୁଲା ସାମ୍ବାଦିକମାନେ ବଟି ଆଦାୟ କରିଆସୁଛନ୍ତି । ପ୍ରତ୍ୟେକ ଥାନା , ଫାଣ୍ଡି ଓ ଶ୍ରମବିଭାଗ ଅଧିକାରୀଙ୍କ ପାଖରେ ଏହି ଚାଲାଣ ହେଉଥିବା ଶ୍ରମିକ , ସର୍ଦ୍ଦାର, ବାହାରର ସେଠ୍ ମାନଙ୍କର ତାଲିକା , ଫୋନ୍ ନମ୍ବର ଲିପିବଦ୍ଧ ହୋଇ ରହିଛି । ଏମାନେ ମୁଖ୍ୟତଃ ଇଟାମାଟିରେ ବନ୍ଧକଶ୍ରମିକ ଭାବେ ଖଟନ୍ତି । କାରଣ ସେମାନେ ସେଠ୍ ଓ ସର୍ଦ୍ଦାର ମାନଙ୍କ ଠାରୁ ଏଥିପାଇଁ ବଇନା ବା ଅଗ୍ରୀମ ଟଙ୍କା ନେଇଥା’ନ୍ତି । ଏବେ ଏହି ଅଗ୍ରୀମ ଟଙ୍କାର ପରିମାଣ ମୁଣ୍ଡ ପିଛା ୫୦ ହଜାର ବୋଲି ପ୍ରକାଶ । ଆଜି ଏକ ଖବରକାଗଜର ପ୍ରକାଶିତ ଖବରରେ ଖପ୍ରାଖୋଲ ବ୍ଲକ୍ ଅଞ୍ଚଳରେ ଏବେ ୨୧ ଟି ଯାକ ପଞ୍ଚାୟତରେ ବାହାର ରାଜ୍ୟର ସେଠ୍ ଓ ସ୍ଥାନୀୟ ଅଞ୍ଚଳର ସର୍ଦ୍ଦାରମାନଙ୍କର ଅଗ୍ରୀମ ବଣ୍ଟନ ଯୋ ର୍ ସୋ ର୍ ରେ ଚାଲିଥିବାର ପ୍ରକାଶ ପାଇଛି ।

ଏହା ନୂଆଘଟଣା ନୁହେଁ । ପ୍ରତିବର୍ଷ ନୂଆଖାଇ ପର୍ବ ପାଳନ ପରେ ପରେ ଏଭଳି ବଇନା ବଣ୍ଟନ ଆରମ୍ଭ ହୋଇଯାଏ । ଏବଂ ଏହା କେବଳ ଖପ୍ରାଖୋଲ ବ୍ଲକର ଘଟଣା ନୁହେଁ , ବଲାଙ୍ଗୀର ଜିଲ୍ଲାର ବେଲପଡା , ତୁରେକେଲା , ପାଟଣାଗଡ, ମୁରିବାହାଲ, ସଇଁନ୍ତଳା , ବଙ୍ଗୋମୁଣ୍ଡା ଓ ଅନ୍ୟାନ୍ୟ ପ୍ରାୟ ୧୪ ଯାକ ବ୍ଲକ୍ ରେ ଚାଲିଆସିଛି ।

ତେବେ ବିଡମ୍ବନାର କଥା ହେଲା , ଏହି ବଲାଙ୍ଗୀର ଜିଲ୍ଲାର ଦୁଇଜଣ ଶାସକଦଳର ବିଧାୟକ ବନାମ ଜଣେ ବିଗତ ୨୪ ବର୍ଷର ବିଜେଡି ସରକାର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହରାଇଥିବା କଣ୍ଟାବାଞ୍ଜିର ବିଧାୟକ ଲକ୍ଷ୍ମଣ ବାଗ ଏବଂ ଅନ୍ୟଜଣକ ପାଞ୍ଚଥରର ପାଟଣାଗଡ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଓ ବର୍ତ୍ତମାନର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ମଧ୍ୟରେ ସେ ପୁଣି ଚଳିତ ଡବଲ ଇଞ୍ଜିନ୍ ସରକାରଙ୍କ ମୁଖ୍ୟତଃ ଏହି ଦାଦନ ସମସ୍ୟାର ନିରାକରଣ ନିମନ୍ତେ ଟାସ୍କଫୋର୍ସର ଅଧ୍ୟକ୍ଷ ଅଟନ୍ତି !

କହିବା ବାହୁଲ୍ୟ ଯେ , ଜାଏଣ୍ଟ୍ କିଲର୍ ବିଧାୟକ ଲକ୍ଷ୍ମଣ ନିଜେ ଜଣେ ଦାଦନ ସର୍ଦ୍ଦାର ଓ ‘ ଦାଦନ ଯିବାରେ ମଜା ଅଛି ‘ ବୋଲି ଏକଦା ସେ ମଜାକ୍ କରିଥିଲେ ! ସେହିପରି ମହାରାଜା ବନାମ ଉପମୁଖ୍ୟମନ୍ତ୍ରୀ କେଭିଙ୍କ ନିଜ ନିର୍ବାଚନ ମଣ୍ଡଳୀର ପାଟଣାଗଡ, ବେଲପଡା ଓ ଖପ୍ରାଖୋଲ ବ୍ଲକ୍ ଗୁଡିକ ବିଗତ ଶହେବର୍ଷ ଧରି ଦାଦନ ପ୍ରବଣ ରହିଆସିଛି । ଏଠାରେ ପ୍ରଶ୍ନ ଉଠେ ଯେ , ଏହି ବ୍ଲକ୍ ଗୁଡିକରେ ସରକାରଙ୍କ କାର୍ଯ୍ୟକାରୀ ହୋଇଆସୁଥିବା ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିୟୋଜନ ଯୋଜନା ବା ମନରେଗା ବା ଏବର ରୂପାନ୍ତରିତ ବୁଭି ଜି ରାମଜୀର ସଫଳ ରୂପାୟନ କିପରି ?

ଏହି ଅଞ୍ଚଳ ଦାଦନଗଡ ଭାବରେ କୁଖ୍ୟାତ ଓ ବେଲପଡା ଓ କଣ୍ଟାବାଞ୍ଜି ସମେତ ଏହି ଅଞ୍ଚଳର ସର୍ଦ୍ଦାରମାନେ ଆଖିଦୃଶିଆ ଭାବେ କୋଟିପତି ପାଲଟିଯାଇଛନ୍ତି ଏଇ ମଣିଷବେପାରରୁ । ତେଣୁ ଏହି ସମସ୍ୟାର ସମାଧାନ କାହାହାତରେ ?

Leave a Reply

Your email address will not be published. Required fields are marked *

Related Post