ଦୁର୍ନୀତିକୁ ଘଣ୍ଟ ଘୋଡାଇବାର ଅଭିନବ ଅପଚେଷ୍ଟା ?
ବଲାଙ୍ଗୀର : ଏଇ ଏବେ ଏବେ ସରିଥିବା ପଶ୍ଚିମଓଡିଶାର ଗଣପର୍ବ ନୂଆଖାଇ ଉପଲକ୍ଷେ ଜିଲ୍ଲାର ପ୍ରାୟ ସମସ୍ତ ସରକାରୀ ବିଭାଗ ତରଫରୁ ଲକ୍ଷାଧିକ ଟଙ୍କାର ବିଜ୍ଞାପନ ବା ନଗଦ ବଟି ବଣ୍ଟନ କରାଯାଇଛି । ଅଦ୍ୟାବଧି ମିଳିଥିବା ସୂଚନା ମୁତାବକ ଶିଶୁ ବିକାଶ ପ୍ରକଳ୍ପ ବିଭାଗ ବନାମ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ,ଉଠା ଜଳସେଚନ ବିଭାଗ , କ୍ଷୁଦ୍ର ଜଳସେଚନ ବିଭାଗ , ଜଳସେଚନ ବିଭାଗ ,ଯୋଗାଣ ବିଭାଗ, ଶ୍ରମ ବିଭାଗ, ପୂର୍ତ୍ତ ବିଭାଗ, ଜାତୀୟ ରାଜପଥ ବିଭାଗ, ଆର୍ ଡି , ବନବିଭାଗ , ଅବକାରୀ ବିଭାଗ ବା ଦେଶୀ ମଦଭାଟି , ବ୍ଲକ୍ ଓ ପୌର ସଂସ୍ଥା ଇତ୍ୟାଦି ଅନ୍ୟାନ୍ୟ ବିଭାଗଗୁଡିକରେ ଏହି ଅଲିଖିତ ପରମ୍ପରା ଚାଲିଥିବା ଜଣାଯାଇଛି ।
ନିର୍ବାଚିତ ଲୋକପ୍ରତିନିଧି ବନାମ ସାଂସଦ, ବିଧାୟକ ବା ମନ୍ତ୍ରୀଙ୍କ ଠାରୁ ଅଧିକାରୀଙ୍କ ଠାରୁ ଥାନା ଓ ସାମ୍ବାଦିକଙ୍କ ପର୍ଯ୍ୟନ୍ତ ପାଞ୍ଚଶ’ , ହଜାରେ , ଦୁଇହଜାର , ପାଞ୍ଚହଜାରରୁ ପଚାଶହଜାର ଓ ଲକ୍ଷେଟଙ୍କାର ଲଫାପା ବିଭାଗର ମୁଖ୍ୟଙ୍କ ନିର୍ଦ୍ଦେଶରେ ଭାଗବାଣ୍ଟ କରାଯାଇ କ୍ଷମତା ଅନୁଯାୟୀ ଏହି ନୂଆଖାଇ ଭେଟି ପ୍ରଦାନ କରାଯାଇଥିଲା ।
ବିଶେଷତଃ ବଲାଙ୍ଗୀର ଉଠା ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କ ଅବସର ଗ୍ରହଣ ପରେ ତାଙ୍କୁ କେତେକ ପୋଷ୍ୟ କୁଜି ସାମ୍ବାଦିକଙ୍କ ଦ୍ବାରା ତାଙ୍କରି ଟଙ୍କାରେ ସହରର ଏକ ଦାମୀ ସୌଖୀନ୍ ହୋଟେଲରେ ଏକ ଭବ୍ୟ ସମ୍ବର୍ଦ୍ଧନା ମଧ୍ୟ ଆୟୋଜନ କରାଯାଇଥିଲା , ଯେଉଁଥିରେ ବିଭାଗର ଅଧିକାରୀମାନେ ମଧ୍ୟ ଯୋଗଦେଇଥିବାର ଗଣମାଧ୍ୟମର ସଫଟୋ ଖବରରୁ ପ୍ରକାଶ । ଉଲ୍ଲେଖଯୋଗ୍ଯ ଯେ , ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାର ଏହି ବିଭାଗର ବିଭିନ୍ନ ଯୋଜନାର ପ୍ରକଳ୍ପରେ ଗତ କିଛିବର୍ଷ ହେଲା ବହୁ ଅନିୟମିତତା ହୋଇ ଆସିଥିବାର ପ୍ରକାଶ । ଉଦାହରଣସ୍ବରୂପ, ପ୍ରାୟ ଦୁଇବର୍ଷ ତଳେ ସୋନପୁର ଉଠା ଜଳସେଚନ ବିଭାଗରେ ପ୍ରାୟ ୧କୋଟି ପାଖାପାଖିର ସିଧାସଳଖ ବ୍ୟାଙ୍କରୁ ଜାଲ୍ ଚେକ୍ ଜାଲିଆତିରେ ସ୍ଥାନୀୟ ବଳରାମ ମେହେର ନାମକ ଜଣେ ଆଉଟ୍ ସୋର୍ସିଂ ଆକାଉଣ୍ଟାଣ୍ଟ ଜଡିତ ଅଭିଯୋଗ ପ୍ରକାଶ ପାଇଥିଲା । ପ୍ରଥମେ ସେ କିଛିଦିନ ଫେରାର୍ ହୋଇଯିବା ପରେ ଭିଜିଲାନ୍ସ ମାମଲା ଋଜୁହେବା ସହିତ ପୁଲିସ ଦ୍ବାରା ଗିରଫ ହୋଇ କୋର୍ଟଚାଲାଣ କରାଯାଇଥିଲା । ଏଥିରେ ଜଡିତ ସନ୍ଦିଗ୍ଧ ନିର୍ବାହୀ ଯନ୍ତ୍ରୀଙ୍କୁ ଖସାଇ ଦିଆଯାଇ ବଦଳି କରିଦିଆ ଯାଇଥିଲା । ଏହାସହିତ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଦୁର୍ନୀତିର ମଧ୍ୟ ତଦନ୍ତ କରାଗଲା ନାହିଁ ।
ବଲାଙ୍ଗୀର ଉଠା ଜଳସେଚନ ବିଭାଗରେ ମଧ୍ୟ ଲିଫ୍ଟ୍ ଇରିଗେସନ ପଏଣ୍ଟ୍ ଗୁଡିକର ସ୍ଥାପନ , ମରାମତି , ସଂରକ୍ଷିତ ଜଙ୍ଗଲ ଦେଇ ଅବୈଧଭାବରେ ପାଇପ୍ ବିଛା , ଯନ୍ତ୍ରାଂଶ କିଣା ଓ ଅନ୍ୟାନ୍ୟ କାମରେ ବିଗତ କିଛିବର୍ଷ ମଧ୍ୟରେ ଆଖିବୁଜା ଦୁର୍ନୀତିର ଅଭିଯୋଗକୁ କେବଳଏହି ନୂଆଖାଇ ଅବସରରେ ନୁହେଁ , ନିୟମିତ ବଟି ବଣ୍ଟନ ଦ୍ବାରା ଘଣ୍ଟ ଘୋଡ଼ାଇ ଦିଆଯାଇ ଆସିଥିବାର ଚର୍ଚ୍ଚା ହେଉଛି ।
ସବୁଠାରୁ ଅଧିକ ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ସମାଜ କଲ୍ୟାଣ ବିଭାଗ ବନାମ ଶିଶୁ ବିକାଶ ବିଭାଗର ଶିଶୁଖାଦ୍ୟ ପ୍ରସ୍ତୁତ କରୁଥିବା ସ୍ବୟଂ ସହାୟିକା ଗୋଷ୍ଠୀଗୁଡିକ ଠାରୁ ଗତବର୍ଷ ଠାରୁ ଚଳିତବର୍ଷର ଠିକ୍ ଏହି ନୂଆଖାଇ ପୂର୍ବରୁ ବିଲ୍ ଅଟକାଇ ଦେଇ ଲକ୍ଷାଧିକ ଟଙ୍କାର ବଟି ବା ରାଜଦଣ୍ଡ ଆଦାୟ ଅଭିଯୋଗ । ଏଥିପାଇଁ ଉକ୍ତ ଏସ୍ ଏଚ୍ ଜି ଗୁଡିକ ସଂଘବଦ୍ଧ ହୋଇ ବିକ୍ଷୋଭ ପ୍ରଦର୍ଶନ କଲାପରେ କିଛିମାସର ବିଲ୍ ର ପାଉଣା ପ୍ରଦାନ କରାଯାଇଛି । ଏହି ଲକ୍ଷ ଲକ୍ଷ ଟଙ୍କାର ବଟି କେଉଁଠିକୁ ଯାଇଛି , ଏ ସମ୍ପର୍କରେ ଆଗରୁ ମଧ୍ୟ ଏକାଧିକବାର ଗଣମାଧ୍ୟମର ଖବର ପରିବେଷଣ ହୋଇସାରିଛି ଓ ସମସ୍ତଙ୍କୁ ଜଣା ।
ଅନ୍ୟାନ୍ୟ ବିଭାଗଗୁଡିକର ଉଠିଥିବା ଦୁର୍ନୀତି ଅଭିଯୋଗ ମଧ୍ୟରେ କ୍ଷୁଦ୍ର ଜଳସେଚନ ବିଭାଗର ଚେକ୍ ଡ୍ୟାମ୍ ଦୁର୍ନୀତି , ଯୋଗାଣ ବିଭାଗର ପିସି ଅଭିଯୋଗରେ ଅଫିସ୍ ଭିତରେ ଠିକାଦାର- ସହକାରୀ ମ୍ୟାନେଜର ମାଡପିଟ, ଚାଉଳ କଳ ଓ ମଣ୍ଡି ଦୁର୍ନୀତି , ଶ୍ରମ ବିଭାଗର ଦାଦନଚାଲାଣରେ ରାଜ୍ୟ ବାହାରର ଇଟାଭାଟି ସେଠ୍ ଓ ସ୍ଥାନୀୟ ସର୍ଦ୍ଦାରଙ୍କ ଠାରୁ ମୋଟା ଅଙ୍କର ଲାଞ୍ଚ ଆଦାୟ ଓ ଉପରୋକ୍ତ ଅନ୍ୟାନ୍ୟ ବିଭାଗର ଅନେକ ଅନିୟମିତତାର ଅଭିଯୋଗର ଚର୍ଚ୍ଚା ହେଉଛି । ସେସବୁ ଦୁର୍ନୀତିର ଅଭିଯୋଗକୁ ଚପାଇବା ନିମନ୍ତେ ଏପରି ବଟିବଣ୍ଟନ କରାଯାଇଥିବା ଜନସାଧାରଣଙ୍କ ଆଲୋଚନାରୁ ପ୍ରକାଶ । ତେବେ ଉପରୋକ୍ତ ବିଭାଗ ପକ୍ଷରୁ ଏଭଳି ଅଭିଯୋଗକୁ ଅସ୍ୱୀକାର କରାଯାଇଛି ।
