ଜିଲ୍ଲା

ଗୁଡହାଣ୍ଡିରୁ ପିମ୍ପୁଡି ଝାଡିବ କିଏ ?

Email :5

ସରକାରଙ୍କ ନ୍ୟାୟସଂସ୍କାର ଓ କୋହଳ ଦଣ୍ଡବିଧାନର କୁଫଳ !

ଅହେତୁକ ରାଜନୈତିକ ଚାପ ନା ତଳସ୍ତରର ଜ୍ଞାତସାର ଅବ୍ୟବସ୍ଥା ?

ବଲାଙ୍ଗୀର : ଚଳିତ ଡବଲଇଞ୍ଜିନ୍ ସରକାରଙ୍କ ଶାସନରେ ଯେତେବଡ ଗୁରୁତର ଆପରାଧିକ ଅଭିଯୋଗ ହେଲେ ବି , ସାମୟିକ ହୋ ହଲ୍ଲା ପରେ ସବୁ ଫୁସ୍ ହୋଇଯିବାଟା ଥୟ ! ବିଶେଷ କରି ସରକାରୀବିଭାଗରେ ହେଉଥିବା ପୁଲିସ ମାମଲାରେ ଏଭଳି ଏକାଧିକ ଘଟଣାରେ ଏଭଳି ଘଟିଥିବା ଲକ୍ଷ୍ୟ କରାଯାଇଛି । ତାହା ପୂର୍ବତନ ରାଜ୍ୟପାଳଙ୍କ ପୁଅ କାର୍ଯ୍ୟରତ ପୁଲିସ କର୍ମଚାରୀଙ୍କ ଉପରେ ମୁହଁରେ ମୁଥମାରି ରକ୍ତାକ୍ତ ଆକ୍ରମଣର ମାମଲା ହେଉ ବା ଗତବର୍ଷର ଦେଓଗାଁ’ ଥାନାନ୍ତର୍ଗତ ଉପରଝର ଗାଁ’ ର ପେକ୍ସକୁ ଯାଇ ଖବର ସଂଗ୍ରହ କଲାବେଳେ ଜଣେ କର୍ତ୍ତବ୍ୟରତ ଭିନ୍ନକ୍ଷମ ସାମ୍ବାଦିକଙ୍କୁ ପେକ୍ସର ସମ୍ପାଦକ ମାଡ ମାରିବା ଋଜୁ ମାମଲା ହେଉ କିମ୍ବା ଗତବର୍ଷର ଖପ୍ରାଖୋଲ କ୍ଷୁଦ୍ର ଜଳସେଚନ ବିଭାଗର ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ସ୍ଥାନୀୟ ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀଙ୍କ ସମର୍ଥକ ଜଣେ ସମିତିସଭ୍ୟ ଦିନଦ୍ବିପ୍ରହରରେ ବସାଘରୁ ଘୋଷାଡି ଥାନା ସାମ୍ନାରେ ରକ୍ତାକ୍ତ କରି ପିଟି ବେହୋସ୍ କରି ପିଟି ନେଇ ଅଫିସ ଭିତରେ ବନ୍ଧୁକ ଦେଖାଇ ଆହତ କରି ଗାଡିରେ ବସାଇ ଆଣି ପଠାଇଦେବା ପରି ମାମଲାରେ ଖପ୍ରାଖୋଲ ଥାନାରେ ଏତଲା ନ ନେବାରୁ ବଲାଙ୍ଗୀର ଏସ୍ ପି ଙ୍କ ନିର୍ଦ୍ଦେଶରେ ଟାଉନ୍ ଥାନାରେ ଏତଲା ନିଆଯାଇ ଖପ୍ରାଖୋଲ ଥାନାକୁ ଫରୱାର୍ଡ କରାଯିବା ସତ୍ତ୍ବେ ଓଲଟି ତାଙ୍କ ବିରୋଧରେ ଏକ କାଉଣ୍ଟର ଏତଲା ଋଜୁ କରି ପୁଲିସ ଉକ୍ତ ଗୁରୁତର ମାମଲାଟିକୁ ଆଇନର ଜାଲରେ ଛନ୍ଦିଦେବା ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ପରେ ବି କେହି କର୍ଣ୍ଣପାତ ନ କରିବାରୁ ସେ ପୀଡିତ କନିଷ୍ଠଯନ୍ତ୍ରୀ ଚାକିରୀଛାଡି ପଳାଇବା ଘଟଣା ହେଉ ଅଥବା କିଛିଦିନ ତଳର ଜିଲ୍ଲା ଯୋଗାଣ ବିଭାଗର ଅଫିସ୍ ରେ ଜଣେ ପରିବହନ ଠିକାଦାର ଜଣେ ଅଧିକାରୀଙ୍କୁ ଅଫିସ ଭିତରେ ଅଶ୍ଳୀଳ ଭାଷାରେ ଜୀବନରେ ମାରିଦେବାକୁ ଧମକ ଦେଇ ତାଙ୍କୁ ଚୌକି ଉଠାଇ ଆକ୍ରମଣ କରିବା ଭଳି ଅପରାଧ ପରି ଯେତେ ଗୁରୁତର ଘଟଣା ହେଉ ! ଏଭଳି ଆପରାଧିକ ମାମଲା ପ୍ରତି ଦଣ୍ଡବିଧାନରେ ସରକାରଙ୍କ ଆଇନଗତ କୋହଳ କାର୍ଯ୍ୟାନୁଷ୍ଠାନ ପ୍ରଣୟନନୀତି ଲୋକଙ୍କୁ ତାଜ୍ଜୁବ୍ କରିଛି !

ପୂର୍ବୋକ୍ତ ଘଟଣାରେ ଥାନାରେ ମାମଲା ଋଜୁ ସୁଦ୍ଧା ନହୋଇ ଅଭିଯୁକ୍ତମାନଙ୍କୁ ଗିରଫ କରାଗଲା ନାହିଁ ଓ ସଦ୍ୟତମ ବଲାଙ୍ଗୀର ଜିଲ୍ଲା ଯୋଗାଣ ବିଭାଗ ଅଫିସରେ ଘଟିଥିବା ସଙ୍ଗୀନ୍ ଅଭିଯୋଗ ମାମଲାରେ ଥାନାରେ ମାମଲାଟିଏ ଋଜୁ କରାଯାଇ ଅଭିଯୁକ୍ତକୁ ବ୍ୟକ୍ତିଗତ ମୁଚାଲିକାରେ ଥାନାରୁ ଛଡାଯିବା ସହିତ ଜଣେ ପୁଲିସ ତଦନ୍ତଅଧିକାରୀ ଯୋଗାଣ ଅଫିସକୁ ଯାଇ ଉପରଠାଉରିଆ ପଚରାଉଚୁରା କରି ଘେରାଏ ବୁଲିଆସିଥିବା ପରି କାର୍ଯ୍ୟାନୁଷ୍ଠାନ । ଆଉ କିଭଳି କ’ଣ ଘଟିଥିଲେ , ଏ ସରକାରଙ୍କ ଶାସନରେ ଘଟୁଥିବା ଜୀବନରେ ମାରିଦେବାକୁ ଉଦ୍ୟମ ଓ ଧମକ ବା ଆକ୍ରମଣ ଅଭିଯୋଗର ଦଣ୍ଡବିଧାନର ଦଫା ଅପରାଧ ନିୟନ୍ତ୍ରଣରେ ସହାୟକ ହୁଅନ୍ତା ବୋଲି ଲୋକେ ପ୍ରଶ୍ନ କରୁଛନ୍ତି ?

ସର୍ବୋପରି ରାଜ୍ୟପାଳ ଭବନ ପରି ରାଜ୍ୟର ସର୍ବୋଚ୍ଚ ସାମ୍ବିଧାନିକ ପୀଠରେ ଭାଙ୍ଗଖାଇ ନିଶାସକ୍ତର ହିଂସାତ୍ମକ ଆଚରଣ , କ୍ଷୁଦ୍ର ଜଳସେଚନ ବିଭାଗର ଯାବତୀୟ ଉନ୍ନୟନମୂଳକ ପ୍ରକଳ୍ପର ଲଗାମ୍ ଛଡା ଦୁର୍ନୀତିରେ ଜଡିତ ରାଜନୈତିକ ସଂରକ୍ଷଣପ୍ରାପ୍ତ ନିର୍ବାଚିତ ଲୋକପ୍ରତିନିଧି ତଥା ଠିକାଦାର , ସମବାୟ ବିଭାଗର ସରକାରୀ ଧାନକିଣାବିକାର ଅନିୟମିତତାର ପୀଠ ପେକ୍ସ ଓ ଯୋଗାଣବିଭାଗରେ ଦୁର୍ନୀତିର ଗୁଡହାଣ୍ଡିରେ ସାଲୁବାଲୁ ଏଭଳି ପିମ୍ପୁଡିମାନଙ୍କୁ ଝାଡିବାକୁ ଗଣ୍ଡଗୋଳ କରୁଥିବା ପରିବହନ ଠିକାଦାର ଓ ଅସାଧୁ ଅଧିକାରୀଙ୍କ ପିସି ଦାବି ଅଭିଯୋଗର ତଦନ୍ତକୁ ଚପାଇ ଦିଆଯିବା ଇତ୍ୟାଦି ନିମନ୍ତେ କାହାକୁ ଦାୟୀ କରାଯିବ ? ଆପାତତଃ ଏହା ହିଁ ଯଦି ଚଳିତ ସରକାରଙ୍କ ଆଭିମୁଖ୍ୟ ହୁଏ , ପରିଣାମ ଅଗ୍ରେ ଧାବତି ଧ୍ବନି.. !

ସଦ୍ୟତମ ମାମଲାନୁଯାୟୀ , କିଛିଦିନ ତଳେ ବଲାଙ୍ଗୀର ଟାଉନଥାନା ଅନ୍ତର୍ଗତ ଜିଲ୍ଲା ବେସାମରିକ ଯୋଗାଣ ବିଭାଗ କାର୍ଯ୍ୟାଳୟରେ କାର୍ଯ୍ୟରତ ସହକାରୀ ମ୍ୟାନେଜର ବା ଏ ଏମ୍ ଶୁଭେନ୍ଦୁ ରାଉତଙ୍କୁ ଅଫିସ ଭିତରେ ସେ କାର୍ଯ୍ୟରତ ଥିବା ସମୟରେ ପୂର୍ବରୁ ଖପ୍ରାଖୋଲ ବ୍ଲକ୍ ର ଜଣେ କିରୋସିନୀ ଡିଲର ଥିବା ଓ ପରେ ଏକ ପେଟ୍ରୋଲ୍ ପମ୍ପ ମାଲିକ ପାଲଟିଥିବା ସହ ମିଲେଟ୍ , ଚାଉଳର ପରିବହନ କରି କୋଟିପତି ପାଲଟିଯାଇଥିବା ସ୍ଥାନୀୟ ପରିବହନ ଠିକାଦାର ସୁଧାର୍ଥୀ ପଟେଲ ତାଙ୍କର ସିକ୍ୟୁରିଟି ମନି ରିଲିଜ୍ କରୁ ନ ଥିବାରୁ ତାଙ୍କ ଠାରୁ ଅଧିକ ପିସି ଦାବି କରି ତାଙ୍କର ପ୍ରାୟ ୫୫ ଲକ୍ଷ ଟଙ୍କାର ବିଲ୍ ନ କରି ପକାଇ ରଖିଥିବା ଅଭିଯୋଗରେ ଚୌକି ଉଠାଇ ତାଙ୍କ ଉପରକୁ ଫିଙ୍ଗି ଜୀବନରେ ମାରିଦେବାକୁ ଧମକ ଦେବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ତେବେ ଏହାସତ୍ତ୍ବେ ସି ଏସ ଓ ଓ ସିସିଏଓଙ୍କ ଘଟଣାକୁ କୌଣସିକାରଣରୁ ଥାନାରେ ଏତଲା ସତ୍ତ୍ବେ ଚପାଇ ଦେବାକୁ ଅପଚେଷ୍ଟା କରିବା ଯୋଗୁଁ ଥାନାରୁ ଜଣେ ତଦନ୍ତକାରୀ ପୁଲିସ ଅଧିକାରୀ ଆସି ତଦନ୍ତ କରିଯାଇଥିଲେ ହେଁ , ଅଭିଯୁକ୍ତଙ୍କୁ ଥାନାରୁ ବ୍ୟକ୍ତିଗତ ମୁଚାଲିକାରେ ଛାଡିଦେବା ଘଟଣା ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କରିଛି । ବିଭାଗୀୟ ଅଧିକାରୀଙ୍କର କିଛି ଭୁଲ୍ ଥିଲା କି ? ପୁଲିସ ମାଲ୍ ପକାଇଦେଲା କି ? ଅଭିଯୁକ୍ତ ଠିକାଦାର ରାଜନୈତିକ ଚାପ ପକାଇଲେ କି ? ” ଇତ୍ୟାଦି ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ଖୋରାକ୍ ଯୋଗାଇଛି ।

Leave a Reply

Your email address will not be published. Required fields are marked *

Related Post