ଦୁର୍ନୀତି

ସୁବର୍ଣପୁର ଜିଲ୍ଲାରେ କେଜିବିଭିରୁ ଲୁଣ୍ଠନ !

Email :1

ଅନ୍ତେବାସୀଙ୍କ ପେଟରୁ କାଟି ମେସ୍ ରୁ ବାଟମାରଣା

ରିପୋର୍ଟ : ମଳୟ ମିଶ୍ର

ସୋନପୁର : ସୁବର୍ଣପୁର ସମଗ୍ର ଶିକ୍ଷା ଅଭିଯାନ ଅନ୍ତର୍ଗତ ଜିଲ୍ଲାର ୬ ଟି ବ୍ଲକରେ ରହିଛି କସ୍ତୁରବା’ ଗାନ୍ଧୀ ବାଳିକା ବିଦ୍ୟାଳୟ ବା କେଜିବିଭି ଆବାସିକ ସ୍କୁଲ୍ । ଏଗୁଡିକ ହେଲା , ସୋନପୁର ବ୍ଲକର ସୋନପୁର ବଡବଜାର , ବିନିକା ବ୍ଲକର ସେଲେଡି , ତରଭା ବ୍ଲକର ଅତାସିଂହା , ଡୁଙ୍ଗୁରିପାଲି ବ୍ଲକର ମାୟାବର୍ହା , ବୀରମହାରାଜପୁର ବ୍ଲକର ସୁବଳୟା ଓ ଉଲୁଣ୍ଡା ବ୍ଲକର ସିଣ୍ଢୋଲ୍ ଠାରେ । କୋଟି କୋଟି ଟଙ୍କା ବ୍ୟୟରେ ଏହିସ୍ଥାନ ମାନଙ୍କରେ ହଷ୍ଟେଲ୍ କୋଠା , ଆବଶ୍ୟକ ଆସବାବ ଓ ଉପକରଣ ,ଶତାଧିକ ଆବାସିକ ଛାତ୍ରୀଙ୍କ ନିମନ୍ତେ ଖାଦ୍ୟପେୟ , ପୋଷାକ , ଲିଖନ ପଠନ ସାମଗ୍ରୀ ଇତ୍ୟାଦି ସରକାର ବହନ କରିଥା’ନ୍ତି । ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ଏହାର ପରିଚାଳନା ନିମନ୍ତେ ମହିଳା ଶିକ୍ଷୟିତ୍ରୀ ଇନ୍ ଚାର୍ଯ , ୱାଡେନ୍ , ଆକାଉଣ୍ଟାଣ୍ଟ , ରାନ୍ଧୁଣୀ , ପିଅନ , ଜଗୁଆଳୀ ମଧ୍ୟ ନିଯୁକ୍ତ ହୋଇଛନ୍ତି । ପ୍ରତିମାସ ଯୋଗାଣବିଭାଗର ଗୋଦାମରୁ ଚାଉଳ ଯୋଗାଇଦିଆଯିବା ସହ ଟେଣ୍ଡର ଜରିଆରେ ସ୍କୁଲ୍ ୟୁନିଫର୍ମ ଯୋଗାଇ ଦିଆଯାଉଛି ।

ତେବେ ସରକାରଙ୍କ ଏତେସବୁ ସୁବିଧା ଓ ବ୍ୟୟ ସତ୍ତ୍ବେ ଦାୟିତ୍ବରେ ରହୁଥିବା ଅସାଧୁ ଡିପିସି , ବିଇଓଙ୍କ ଠାରୁ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ , ୱାଡେନ୍
ଓ ଆକାଉଣ୍ଟାଣ୍ଟଙ୍କ ଯୋଗୁଁ ପ୍ରତିମାସ ଏଥିରେ ବ୍ୟାପକ ବାଟମାରଣା ଅବ୍ୟାହତ ରହିଥିବା ଅଭିଯୋଗ ହେଉଛି । ତଳୁ ଉପର ସ୍ତର ପର୍ଯ୍ୟନ୍ତ ଏହାର ଚେର ଲମ୍ବିଛି । ମେସ୍ ପାଇଁ ସାମଗ୍ରୀଯୋଗାଇବାକୁ ଟେଣ୍ଡର ପାଉଥିବା ଏଜେଣ୍ଟଙ୍କ ଠାରୁ ଦରଦାମରେ ହେରଫେର କରି ଆସୁଥିବା ଦୋକାନୀଙ୍କ ପର୍ଯ୍ୟନ୍ତ ୫ କୁ ୧୫ କରି ମିଥ୍ୟା ବିଲ୍ ଭାଉଚର କରାଯାଇ ଏଭଳି ଲକ୍ଷାଧିକ ଟଙ୍କାର ବାଟମାରଣା ଉପର ଅଧିକାରୀଙ୍କର ସମ୍ପୂର୍ଣ ଜ୍ଞାତସାରରେ ହେଉଥିବା ଜଣାଯାଇଛି । ଯଦି ସୂଚନା ଅଧିକାର ବଳରେ କେହି ଏହି ମେସ୍ ଖର୍ଚ୍ଚର ହିସାବ ମାଗେ , ବଜାରଦରର ତାରତମ୍ୟରୁ ଏହା ଧରାପଡିପାରିବ । ଏହାଛଡା ମେସ୍ ର ଖାଦ୍ୟ ଯଥେଷ୍ଟ ନିମ୍ନମାନର ଓ ପ୍ରତିଦିନର ଉପସ୍ଥାନରେ ମିଥ୍ୟା ତଥ୍ୟ ଦର୍ଶାଯାଇ ଆସୁଥିବା ଅଭିଯୋଗ ହେଉଛି ।

ଏତଦ୍ ବ୍ୟତୀତ , ହଷ୍ଟେଲ୍ ର ଅନ୍ତେବାସୀ ଛାତ୍ରୀଙ୍କ ପାଇଁ ସରକାର.ଯୋଗାଉଥିବା ଅନ୍ୟାନ୍ୟ ସାମଗ୍ରୀ , ଉପକରଣ ଆଦିରେ ମଧ୍ୟ ସମ୍ପୃକ୍ତ ଜିଲ୍ଲା ତଥା ସେଣ୍ଟ୍ରାଲି ପରଚେଜ୍ ଆଳରେ ଅଧିକମୂଲ୍ୟ ପକାଯାଇ ଲକ୍ଷାଧିକ ଟଙ୍କାର ବାଟମାରଣା କରାଯାଇଆସୁଥିବା ଅପ୍ରିୟସତ୍ୟ । ବିଡମ୍ବନାର ବିଷୟ ଏହା ଯେ , ଏହି ଅନିୟମିତତାର ଉପଯୁକ୍ତ ନିରୀକ୍ଷଣ ଓ ସମୀକ୍ଷା ବା ଅଡିଟ୍ ରେ ଏହାକୁ ଛାଡିଦିଆଯାଉଛି ।

ସବୁଠାରୁ ଗୁରୁତର ବିଷୟ ଏହା ଯେ , ଏଭଳି ଆବାସିକ ବାଳିକା ବିଦ୍ୟାଳୟରେ ଅନ୍ତେବାସିନୀ ଛାତ୍ରୀଙ୍କ ସୁରକ୍ଷା ଓ ନିଯୁକ୍ତ ଶିକ୍ଷୟିତ୍ରୀ , ୱାଡେନ୍ ବା ପୁରୁଷ- ମହିଳା କର୍ମଚାରୀଙ୍କ ମଧ୍ୟରେ ଆପତ୍ତିଜନକ ଅବୈଧ ସମ୍ପର୍କର ଅଭିଯୋଗ । ଅତୀତରେ ଏହି ଜିଲ୍ଲାର ସୁବଳୟା , ଅତାସିଂହା ଓ ଅନ୍ୟାନ୍ୟ ହଷ୍ଟେଲରେ ଏଭଳି ଘଟଣା ଘଟିଥିବାରୁ ଏହିଦିଗ ପ୍ରତି ଉପଯୁକ୍ତ କଟକଣା ଜରୁରୀ ଥିଲେ ହେଁ , ଏଥିପ୍ରତି ଅଧିକାରୀଙ୍କ ଉଦାସୀନତା ଅନ୍ତରାଳର କାରଣ ସମୀକ୍ଷାସାପେକ୍ଷ ବୋଲି ଜନମତ ପ୍ରକାଶ ପାଉଛି ।

ସର୍ବୋପରି ଏହି ସମ୍ବେଦନଶୀଳ ଶିକ୍ଷାନୁଷ୍ଠାନ ବା ହଷ୍ଟେଲ୍ ଗୁଡିକ ଡିପିସିଙ୍କ ପରିଚାଳନାଧୀନ ରହିଥିବା ବେଳେ ଏହିଜିଲ୍ଲାର ଡିପିସି ଭାବରେ ଗଚ ପ୍ରାୟ ବର୍ଷାଧିକ କାଳ ଧରି ଜଣେ ଭାରପ୍ରାପ୍ତ ଡିପିସି ରହିଛନ୍ତି । ସେ ହେଲେ ଏକାଦିକ୍ରମେ ଡିଇଓ , ଏଡିଇଓ , ତରଭା ବିଉଓ ଓ ଡିପିସି ଇତ୍ୟାଦି ଚାରିଟି ଦାୟିତ୍ବରେ ଥିବା ଏଡିଇଓ ଘନଶ୍ୟାମ ମେହେର । ତାଙ୍କ କାର୍ଯ୍ୟକଳାପ ସମ୍ପର୍କରେ ବହୁକଥା ଚର୍ଚ୍ଚା ହେଉଛି । ଏଣୁ ଏହିଜିଲ୍ଲାର କେଜିବିଭି ଉପରେ ଏକ ପୁଙ୍ଖାନୁପୁଙ୍ଖ ଭିଜିଲାନ୍ସ ତଦନ୍ତର ଆବଶ୍ୟକତା ରହିଥିବା ଲୋକେ ମତବ୍ୟକ୍ତ କରୁଛନ୍ତି । ଆଗାମୀଦିନରେ ଏ ସମ୍ପର୍କରେ ଏକ ଅନୁସନ୍ଧାମୂଳକ ରିପୋର୍ଟ ପ୍ରକାଶ ପାଇବ ।

Leave a Reply

Your email address will not be published. Required fields are marked *

Related Post