ବେଆଇନ ଶ୍ରମିକଚାଲାଣରୁ କୋଟିପତି
ଆଖିବୁଜି ବସିଛନ୍ତି ସରକାର !
ବିଧାନସଭାରେ ଉଠୁ ପ୍ରସଙ୍ଗ
ରିପୋର୍ଟ : ମଳୟ ମିଶ୍ର
ବଲାଙ୍ଗିର : ବଲାଙ୍ଗିର ଜିଲ୍ଲାରେ ବେଆଇନ୍ ଦାଦନଶ୍ରମିକ ଚାଲାଣ କରି ଗତ କିଛିବର୍ଷତଳେ ଦିନମଜୁରିଆରୁ କୋଟିପତି ପାଲଟିଥିବା ସର୍ଦ୍ଦାରଙ୍କ ସଂଖ୍ୟା ବୃଦ୍ଧି ହୋଇଛି । ସେମାନଙ୍କର ଏହି ଧନ୍ଦାରୁ ବହୁତଳ କୋଠାବାଡି , ଜମିଜମା , ଦାମିକା ଗାଡିମଟର ଆଖିଦୃଶିଆ ଭାବେ ଏହା ବିଜ୍ଞାପିତ କରୁଛି । ମୁଖ୍ୟତଃ ବେଲପଡା , କଣ୍ଟାବାଞ୍ଜି ପରି ଦାଦନଗଡ ଓ ଖପ୍ରାଖୋଲ , ଲାଠୋର ଇତ୍ୟାଦି ଗ୍ରାମାଞ୍ଚଳରେ ସେମାନଙ୍କର ହୁ ହୁ ବଢୁଥିବା ଆର୍ଥିକ ସ୍ଥିତିକୁ ନିରୀକ୍ଷଣ କଲେ ଏହା ସୁସ୍ପଷ୍ଟ । ଶ୍ରମବିଭାଗ , ଥାନାପୁଲିସ ଓ ବିଧାୟକ ବା ସାଂସଦ ନିର୍ବାଚିତ ଲୋକପ୍ରତିନିଧିଙ୍କୁ ପକେଟ୍ ରେ ରଖି ବିଗତ ଦଶନ୍ଧି ଦଶନ୍ଧି ଧରି ଏହା ଚାଲିଆସୁଛି । ଏପରିକି ଏବେ ଏଇ ସର୍ଦ୍ଦାର ମାନଙ୍କ ମଧ୍ୟରୁ କେତେକ ସରପଞ୍ଚ , ସମିତିସଭ୍ୟ , ବ୍ଲକ ଅଧ୍ୟକ୍ଷ , ଉପାଧ୍ୟକ୍ଷ ,ବିଧାୟକ ଓ ସାଂସଦ ପରି ପଦ ବି ନିର୍ବ୍ଚନରେ ବିପୁଳ ଟଙ୍କା ବ୍ୟୟ କରି ଅକ୍ତିଆର କଲେଣି । ସେମାନଙ୍କ ପାଖକୁ ରାଜ୍ୟବାହାରର ଇଟାଭାଟି ସେଠ୍ ମାନଙ୍କ ଠାରୁ ବ୍ୟାଙ୍କ ଜରିଆରେ ଓ ନଗଦ କୋଟି କୋଟି ଟଙ୍କାର ସୁଅ ଛୁଟୁଛି । ସେମାନେ ଶ୍ରମିକଚାଲାଣ ପାଇଁ ଶ୍ରମବିଭାଗର ଲାଇସେନ୍ସ ହାତେଇ ସୀମିତ ସଂଖ୍ୟକ ଶ୍ରମିକଚାଲାଣ କରୁଥିଲେ ହେଁ , ଏଇ ଆଳରେ ମୁଖ୍ୟତଃ ଥାନାପୁଲିସକୁ ସିଧାସଳଖ ଶ୍ରମବିଭାଗର ଅଫିସ୍ ଓ ଥାନାଫାଣ୍ଡିକୁ ଯାଇ ଲକ୍ଷ ଲକ୍ଷ ଟଙ୍କାର ନିୟମିତ ବଟି ଦେଇ ତଥାପି ସେମାନଙ୍କର ଏହି ହଜାର ହଜାର ସଂଖ୍ୟାର ବେଆଇନ ଦାଦନଚାଲାଣ ବର୍ଷ ବର୍ଷ ଧରି ଜାରୀ ରଖିଛନ୍ତି । ସମସ୍ତେ ଏହା ଦେଖିଆସୁ ଥିଲେ ହେଁ , ପ୍ରଚୁର ଟଙ୍କାର ହାତଚିକ୍କଣ କରୁଥିବା ଯୋଗୁଁ ଏହା ବିରୋଧରେ କ୍ରମାଗତଭାବରେ ଗଣମାଧ୍ୟମରେ ତଥ୍ୟ ଓ ଖବର ପ୍ରକାଶ ପାଇଆସୁଥିଲେ ହେଁ , ଏହି ପ୍ରସଙ୍ଗ ବା ସେମାନଙ୍କର ଏହି ବେଆଇନ ଆୟର ଆୟକର ଯାଞ୍ଚ ସମ୍ପର୍କରେ ସ୍ଥାନୀୟ ପ୍ରଶାସନ , ବିଧାନସଭା ବା ପାର୍ଲ୍ୟାମେଣ୍ଟରେ ଉଠାଯାଉନାହିଁ । ଶ୍ରମବିଭାଗର ସରକାରୀ ଲାଇସେନ୍ସର ଉଲଙ୍ଘନ , ପ୍ରକୃତ ଚାଲାଣର ସଂଖ୍ୟା ନ ଦର୍ଶାଇବା ବା ହେରଫେର କରାଯାଇ ସରକାରୀ ଟିକସର ଖୋଲାଖୋଲି ବାଟମାରଣା ଦୁର୍ନୀତିର ଅନ୍ତର୍ଭୁକ୍ତ ହୋଇଥିଲେ ହେଁ , ଏହା ଭିଜିଲାନ୍ସର ପରିସରଭୁକ୍ତ କରାଯାଉନାହିଁ ! ଏହା କେବଳ ବଲାଙ୍ଗିର ଜିଲ୍ଲାରେ ନୁହେଁ , ସୁବର୍ଣପୁର , କଳାହାଣ୍ଡି , ନୂଆପଡା , ବରଗଡ , ବୌଦ୍ଧ , କନ୍ଧମାଳ , ଗଞ୍ଜାମ , ସମ୍ବଲପୁର ଓ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାର ସମସ୍ୟା ।
ଏଣୁ ଚଳିତ ବିଧାନସଭାରେ ଏହି ଦାଦନସର୍ଦ୍ଦାର ମାନଙ୍କର ବିଗତ କେତେବର୍ଷର ଆୟର ତଦନ୍ତପୂର୍ବକ ଅନ୍ତତଃ ଆୟକର ଯାଞ୍ଚ ପ୍ରକ୍ରିୟା ଚାଲୁ କରାଯିବାକୁ ସରକାର ପଦକ୍ଷେପ ନେବା ଦିଗରେ ଆଲୋଚନା କରାଯିବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି ।
