ଦୁର୍ନୀତି

ଗଣ୍ଡର ଭଉଁରୀରେ ନଦୀକୂଳ ଜିଲ୍ଲାର ପ୍ରାଥମିକ ଶିକ୍ଷା !

Email :1

୪ ଟି ପଦରେ ଜଣେ ଭାରପ୍ରାପ୍ତ

ଶିକ୍ଷକଙ୍କ ଅଦିନବଦଳିରେ ପ୍ରିୟାପ୍ରିତିତୋଷଣ

ଜଣପିଛା ୨୦/୨୫ ହଜାର ଲାଞ୍ଚଆଦାୟ ?

ରିପୋର୍ଟ : ମଳୟ ମିଶ୍ର

ସୋନପୁର : ସାରା ରାଜ୍ୟର ପ୍ରାଥମିକ ସ୍କୁଲରେ ୫୪ ହଜାର ଶିକ୍ଷକ ପଦବୀ ଖାଲି ପଡିଥିବା ଚଳିତ ବିଧାନସଭା ଅଧିବେଶନର ଏକ ମୁଖ୍ୟସମସ୍ୟା ଭାବେ ପ୍ରଥମଦିନରେ ପ୍ରମୁଖ ଦୈନିକ ଖବରକାଗଜର ମୁଖପୃଷ୍ଠ ଖବର ପ୍ରକାଶ ପାଇଛି । ୧୪୫୮ଟି ସ୍କୁଲରେ ଜଣେ ଶିକ୍ଷକ ଥିବା ଏଥିରୁ ପ୍ରକାଶ । ତେବେ ଏହି ପରିପ୍ରେକ୍ଷୀରେ ପଶ୍ଚିମଓଡିଶାର ଏକ ଛୋଟ ନଈକୂଳିଆ ଜିଲ୍ଲା ସୁବର୍ଣପୁରରେ କିଛିଦିନ ତଳେ ଏକ ୮୬ ଜଣିଆ ଅଦିନିଆ ଶିକ୍ଷକବଦଳି କରାଯାଇଛି । ଏହି ବଦଳି ପାଇଁ ବିଭାଗର ଗତ ୧୪.୫ .୨୦୨୫ ର ଏକ ନିର୍ଦ୍ଦେଶ ମୁତାବକ ଏଲିମେଣ୍ଟାରୀ ନିର୍ଦ୍ଦେଶକଙ୍କର ଗତ ୨.୯. ୨୦୨୬ର ଏକ ଚିଠିକୁ ଦର୍ଶାଯାଇ ‘ ଏହା ବଦଳି ନୁହେଁ ‘ , ଆଗରୁ ରହିଥିବା ସରକାରୀ ଗାଇଡ୍ ଲାଇନ ରହିଥିବାରୁ ବିଇଓମାନେ କରିଦେଇଥିଲେ , ଆମେ ଖାଲି ତାକୁ ରେଗୁଲାର୍ କଲୁ ଓ ବିଇଓଙ୍କ ତାଲିକାକୁ ଆଧାର କରି ବଳକା ଶିକ୍ଷକ ଥିବା ସ୍କୁଲର ସିଙ୍ଗଲକୁ ଡବଲ କରିଥିବା ଏକ ଆଡଜଷ୍ଟମେଣ୍ଟ ଓ ବୋଲି ଭାରପ୍ରାପ୍ତ ଜିଲ୍ଲା ଶିକ୍ଷାଧିକାରୀ ଅଜବ୍ ସଫେଇ ଦେଇଛନ୍ତି ! ଏଭଳି ବିଭାଗୀୟ ନିର୍ଦ୍ଦେଶକଙ୍କ ଚିଠି ଆଧାରରେ ଗତ ୧୧ ତାରିଖରେ ଏକ ଅଦିନିଆ ବଦଳି ରାଜ୍ୟର ଏକମାତ୍ର ଏହି ଜିଲ୍ଲାରେ କରାଯାଇଥିବା ବେଳେ , ଅନ୍ୟାନ୍ୟ କେତେକ ଜିଲ୍ଲାରେ ହୋଇଛି ଓ କେତେ ଜିଲ୍ଲାରେ ହୋଇନଥିବା ଉକ୍ତ ଅଧିକାରୀ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ମିଛ କହିଛନ୍ତି !

ବିଭାଗୀୟ ତାଲିକାନୁଯାୟୀ , ଜିଲ୍ଲାର ୬ ଟି ବ୍ଲକ୍ ରେ କରାଯାଇଥିବା ଏହି ସିଙ୍ଗଲସ୍କୁଲ ଶିକ୍ଷକ ବଦଳିରେ ପ୍ରମୋଶନ୍ ପାଇଥିବା ଲେଭେଲ୍ -୩ ପ୍ରଧାନଶିକ୍ଷକ , ଅନ୍ୟାନ୍ୟ ଶିକ୍ଷକ ଓ କେତେଜଣଙ୍କର ମ୍ୟୁଚୁଆଲ୍ ବୋଲି ଜଣାପଡିଛି ।

ଏବେ ଜିଲ୍ଲାର ଉଲୁଣ୍ଡା ବ୍ଲକର ବିଇଓ ଅଜୟ ଲୁହା , ଡୁଙ୍ଗୁରିପାଲିର ଗଣେଶ କିଶାନ ,ବୀରମହାରାଜପୁରର ଅଭିଷେକ ଭୁଏ , ସୋନପୁର ଓ ବିନକା ବ୍ଲକରେ ଜଣେ ବିଇଓ ଲକ୍ଷ୍ମଣ ମିଶ୍ର ଓ ତରଭା ବ୍ଲକରେ ସେ ନିଜେ ବିଇଓ ରହିଛନ୍ତି ।

ତେବେ ଏହି ୬ ଜଣଙ୍କର ମ୍ୟୁଚୁଆଲ୍ ବଦଳିରେ ଅଳ୍ପ କିଛିମାସ ତଳର ଏକ ମ୍ୟୁଚୁଆଲ୍ ବଦଳିକୁ ପୁନର୍ବାର ମ୍ୟୁଚୁଆଲ୍ ଆଳରେ ସୁବିଧାଜନକ ସ୍ଥାନକୁ ବଦଳି , ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଭାଇ , ଭାଇବୋହୁ ଓ ସମ୍ପର୍କୀୟ ଶିକ୍ଷକ / ଶିକ୍ଷୟିତ୍ରୀମାନେ ଅନ୍ତର୍ଭୁକ୍ତ । ଏମାନଙ୍କ ମଧ୍ୟରେ ବାଲପୁର ରୁ ଖଇରଟିକ୍ରା ଓ ପୁଣି ବାଲପୁରରୁ ଖର୍ଜୁରା , ତରଭା ବ୍ଲକ୍ ରୁ ଡୁଙ୍ଗୁରିପାଲି ବ୍ଲକ୍ କୁ ଏହି ମ୍ୟୁଚୁଆଲ୍ ବଦଳି କରାଯାଇଛି ।

ଦ୍ବିତୀୟତଃ ଏତେ ସଂଖ୍ୟକ ବଦଳିରେ ଜଣପିଛା ୨୦ ରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଲାଞ୍ଚ ସଂଗ୍ରହ କରାଯାଇଥିବା ଚର୍ଚ୍ଚା ଉଠିଛି । ଏହି ୧୬ ଲକ୍ଷଟଙ୍କାରୁ ଉର୍ଦ୍ଧ୍ବ ଉତ୍କୋଚର ପରିମାଣ ସମ୍ପର୍କରେ ଗତ ୧୭ ତାରିଖରେ ତାଙ୍କ ଅଫିସରେ ଭେଟି ପଚାରିବାରୁ ଭାରପ୍ରାପ୍ତ ଡିଇଓ ଘନଶ୍ୟାମ ମେହେର ଏହାକୁ ଅସ୍ବୀକାର କରି ସେ ପ୍ରାଶାସନିକ କଠୋର ରହୁଥିବାରୁ ଓ ତାଙ୍କ ବିରୁଦ୍ଧରେ କେତେକ ଅଫିସ୍ କର୍ମଚାରୀ ଅସନ୍ତୁଷ୍ଟ ରହିଥିବାରୁ ଏଭଳି ମିଥ୍ୟା ଅଭିଯୋଗ କରାଯାଉଛି ଏବଂ ତାଙ୍କ ପୂର୍ବର ଡିଇଓଙ୍କ ବିରୁଦ୍ଧରେ ବହୁକଥା ଉଠିଥିବା ବେଳେ , କୌଣସି ସାମ୍ବାଦିକ ଆସି ନ ଥିବା ବେଳେ ତାଙ୍କ ସମୟରେ ଏଭଳି ପଚରାଉଚୁରା କରିବା ନେଇ ପ୍ରଶ୍ନଉଠାଇଥିଲେ ।

ଏଭଳି ଅଦିନିଆ ବଦଳି ପାଇଁ ଗତ ଜିଲ୍ଲାପାଳ ଡ ନୃପରାଜ ସାହୁଙ୍କ ସମୟରେ ଆବଶ୍ୟକ ଡି ଏଲଟିସି ବୈଠକ ହୋଇପାରି ନଥିଲା । ଏବେ ଚଳିତମାସରେ ଯୋଗଦେଇଥିବା ଥିବା ନୂତନ ଜିଲ୍ଲାପାଳ ଦେବାଶିଷ ସିଂଙ୍କୁ ପ୍ରକୃତ ସ୍ଥିତି ସମ୍ପର୍କରେ ଅନ୍ଧାରରେ ରଖାଯାଇ ଚତୁରତା ପୂର୍ବକ ତାଙ୍କର ଅନୁମୋଦନରେ ଗତମାସ ୩୧ ତାରିଖରେ ଏକ ତରବରିଆ ତଥାକଥିତ ବୈଠକ କରାଯାଇଥିବା କୁହାଯାଇଛି । ଏ ସମ୍ପର୍କରେ ମତାମତ ପାଇଁ ଜିଲ୍ଲାପାଳଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ , ସେ ଫୋନ୍ ଉଠାଇ ନଥିବାରୁ ସମ୍ଭବ ହୋଇପାରିନାହିଁ ।

ଉଲ୍ଲେଖଯୋଗ୍ୟ ଯେ ସଂପ୍ରତି ସୁବର୍ଣପୁର ଜିଲ୍ଲାରେ ଗତ ପ୍ରାୟ ଦେଢବର୍ଷ ହେଲା ଭାରପ୍ରାପ୍ତ ଡିଇଓ ଥିବା ଏହି ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ଧାନବସା ଗ୍ରାମର ବାସିନ୍ଦା ଘନଶ୍ୟାମ ମେହେର ଏଡିଇଓ ସମେତ ଡିପିସି ଓ ତରଭା ବିଇଓ ଇତ୍ୟାଦି ୪ ଟି ପଦରେ ରହିଛନ୍ତି । ଜିଲ୍ଲାର ସର୍ବଶିକ୍ଷା ଅଭିଯାନ ବା ସମଗ୍ରଶିକ୍ଷା ଅଧୀନସ୍ଥ ସୋନପୁର ( ବଡବଜାର ) , ତରଭା ବ୍ଲକର ଅତାସିଂହା , ବିନିକା ବ୍ଲକର ସେଲେଡି , ଡୁଙ୍ଗୁରିପାଲି ବ୍ଲକର ମାୟାବର୍ହା , ବୀରମହାରାଜପୁର ବ୍ଲକର ସୁବଳୟା ଓ ଉଲୁଣ୍ଡା ବ୍ଲକର ସିଣ୍ଢୋଲ ଠାରେ ଥିବା କେଜିବିଭି ଆବାସିକ ସ୍କୁଲଗୁଡିକ ସମେତ ବାର୍ଷିକ କୋଟି କୋଟି ଟଙ୍କା ବ୍ୟୟ ହେଉଥିବା ଏହି କାର୍ଯ୍ୟକ୍ରମ ମଧ୍ୟ ତାଙ୍କ ପରିଚାଳନାଧୀନ । ତେଣୁ ତାଙ୍କର ପାଞ୍ଚଆଙ୍ଗୁଠି ଘିଅରେ ବୁଡିଥିବା ଓ ତାଙ୍କର ଚିକ୍କଣହାତ ବିଭାଗୀୟ ନିର୍ଦ୍ଦେଶକଙ୍କ ଠାରୁ ପୂର୍ବସରକାରଙ୍କ ଠାରୁ ଚଳିତ ଡବଲଇଞ୍ଜିନ୍ ସରକାରର ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଲମ୍ବିଥିବା ଲୋକଙ୍କ ଚର୍ଚ୍ଚାରୁ ପ୍ରକାଶ । ଏପରିକି ବର୍ତ୍ତମାନର ବିଧାୟକ ନିରଞ୍ଜନ ପୂଜାରୀଙ୍କ ଠାରୁ ବିଜେପି ସରକାରର ସାଂସଦ ଓ ଉପମୁଖ୍ୟମନ୍ତ୍ରୀଙ୍କ ଯାଏଁ ସମସ୍ତଙ୍କୁ ତୈଳମର୍ଦ୍ଦନ ବା ବିନା ରାଜନୈତିକ ସପକ୍ଷରେ ଏ ଚାରିଇଞ୍ଜିନ୍ ବିଶିଷ୍ଟ ଦୁର୍ନୀତିର କଳ ଚାଲିପାରିବା ସମ୍ଭବ ନୁହେଁ ବୋଲି ଲୋକେ ସମାଲୋଚନା ପ୍ରକାଶ କରୁଛନ୍ତି ।

ପ୍ରକାଶଯୋଗ୍ୟ ଯେ ଏହାପୂର୍ବରୁ ମଧ୍ୟ ଏଠାରେ ଡିଇଓ ଥିବା ମୀନାରାଣୀ ମଙ୍ଗଳଙ୍କ ସମୟରେ ବ୍ୟାପକ ଦୁର୍ନୀତି ହୋଇଥିଲା , ଯାହାକୁ ଲୋକେ ଭୁଲିପାରି ନାହାଁନ୍ତି । ଖୁବ୍ ଶୀଘ୍ର ସେ ସମ୍ପର୍କରେ ମଧ୍ୟ ଏକ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ ପାଇବ ।

ଏଣୁ ସୁବର୍ଣପୁର ଜିଲ୍ଲାର ଏହି ଅଦିନିଆ ବଦଳିକୁ ଚଳିତ ବିଧାନସଭାରେ ପ୍ରାଥମିକ ଶିକ୍ଷାର ଏକ ଚତୁରତାପୂର୍ଣ ଅନିୟମିତତାର ଏକ ଜ୍ବଳନ୍ତ ପ୍ରସଙ୍ଗ ଭାବରେ ଉପସ୍ଥାପନ କରାଯାଇ ତୁରନ୍ତ ଏଭଳି ଜଣେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ହଟାଯିବାକୁ ଜିଲ୍ଲାବାସୀ ଦାବି କରୁଛନ୍ତି ।

Leave a Reply

Your email address will not be published. Required fields are marked *

Related Post