ଅପରାଧ

ଗୁଣ୍ଡା ସାହୁ ଅପହରଣକାଣ୍ଡର କାରଣ ଅସ୍ପଷ୍ଟ

Email :1

ତଦନ୍ତ ନାଁ’ରେ ଭୁଆଁ ବୁଝାଉଛି ପୁଲିସ ?

ବଲାଙ୍ଗୀର : ଗତ ଅଗଷ୍ଟ ୧୪ ତାରିଖରେ ସହରର ଏକ ବଡ ହୋଟେଲମାଲିକ ଓ ଜମିଜମା , ଅଟୋମୋବାଇଲ ସମେତ ଅନେକ ବେପାରର ବିଶିଷ୍ଟ ଯୁବବ୍ୟବସାୟୀ ଗୁଣ୍ଡା ସାହୁଙ୍କୁ ଜମି ଦେଖାଇବାକୁ ଘରୁ ଡ଼ାକିନେଇ ବଲାଙ୍ଗୀର-ସୋନପୁର ଜାତୀୟ ରାଜପଥ ମୁଖ୍ୟ ସଡକରୁ ରଣ୍ଡା ଗ୍ରାମ ନିକଟରେ ଦିନ ଦ୍ବିପ୍ରହରରେ ବନ୍ଧୁକ ମୁନରେ ଏକ ଚାରିଚକିଆ ଗାଡିରେ ସୋନପୁର ଜିଲ୍ଲାର ମରାଡୁଗୁଚ୍ଛା ଗ୍ରାମର ମୂଳ ବାସିନ୍ଦା ଓ କଣ୍ଟାମାଳର ଭୁବନେଶ୍ବରରେ ରହୁଥିବା ଜଣେ ଜମିଦଲାଲ କ୍ଷୀତିଶ୍ ଚନ୍ଦ୍ର ସାହୁ ୫/ ୭ ଜଣ ବଲାଙ୍ଗୀର ସହରର ସ୍ଥାନୀୟ ଅପରାଧୀ ପ୍ରବୃତ୍ତିର ଯୁବକଙ୍କ ସହଯୋଗରେ ଅପହରଣ କରିନେଇଥିଲେ । ବଲାଙ୍ଗୀର ଟାଉନ ଥାନାରେ ତାଙ୍କ ପରିବାର ପକ୍ଷରୁ ଦେଇଥିବା ନିଖୋଜ୍ ଏତଲାକ୍ରମେ ବଲାଙ୍ଗୀର ପୁଲିସ ତୁରନ୍ତ ସକ୍ରିୟ ହୋଇପଡି ଅନୁସରଣ କରି ପରଦିନ ଭୁବନେଶ୍ବରର ଖଣ୍ଡଗିରି ଥାନାରୁ ଗୁଣ୍ଡାଙ୍କୁ ଉଦ୍ଧାର କରିବା ସହ ଅପହରଣର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ୍ ସାହୁ ଓ ଜଣେ ସହଯୋଗୀ ବଲାଙ୍ଗୀର ତୁଳସୀନଗରର ସଞ୍ଚିତ ବେହେରାଙ୍କୁ ଗିରଫ କରି ବଲାଙ୍ଗୀର ଆଣିଥିଲେ । ତା’ ପରେ ଏହି ମାମଲାରେ ସଂପୃକ୍ତ ଥିବା ଅଭିଯୋଗରେ ବଲାଙ୍ଗୀର ପୁଲିସ ବଲାଙ୍ଗୀର ଆସୁଥିବା କ୍ଷୀତିଶର ଭୁବନେଶ୍ବର କମିଶନେଟରେ ପୁଲିସ ଚାକିରୀ କରୁଥିବା ଏସ୍ ଆଇ ଭଉଣୀ ସ୍ନେହାମଞ୍ଜରୀ ସାହୁ ଓ ଭୁବନେଶ୍ବରର ଜଣେ ସାମ୍ବାଦିକ ସଂଗ୍ରାମ ଜେନାଙ୍କୁ ସୋନପୁର ରାସ୍ତାରେ ଗିରଫ କରିଥିଲେ । ସେମାନଙ୍କୁ କୋର୍ଟଚାଲାଣ କରାଯାଇଥିଲା ଓ ଘଟଣାରେ ସଂପୃକ୍ତ ବଲାଙ୍ଗୀରର ଆଉ ୫/ ୬ ଜଣ ଅଭିଯୁକ୍ତ ଅଦ୍ୟାବଧି ଫେରାର ରହିଛନ୍ତି । ଏଥିପାଇଁ ବଲାଙ୍ଗୀର ଏସ୍ ପି ଅଭିଳାଷ ଜିଙ୍କ ନିର୍ଦ୍ଦେଶରେ ୪ ଟି ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା ଓ ତତ୍କାଳୀନ ସମ୍ବଲପୁର ଉତ୍ତରାଞ୍ଚଳ ଆଇ ଜି ହିମାଂଶୁଲାଲଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ମାମଲାଟିର ତଦନ୍ତ କରାଯାଇଥିଲା । ଅଭିଯୁକ୍ତମାନେ ଗୁଣ୍ଡାଙ୍କୁ ବନ୍ଧୁକମୁନରେ ଅପହରଣ କରିନେଇ ଖଣ୍ଡଗିରି ନିକଟସ୍ଥ ଏକ ହୋଟେଲରେ ରଖି ମାଡମାରି ତାଙ୍କ ଠାରୁ ସେ ଟଙ୍କା ନେଇଥିବାଦି ଲେଖାଇନେବା ସହ ଭିଡିଓ କରି ତାଙ୍କୁ ଖଣ୍ଡଗିରି ଥାନାକୁ ନେଇ ଓଲଟା ଦୋଷୀ ସାବ୍ୟସ୍ତ କରୁଥିବାବେଳେ ବଲାଙ୍ଗୀର ପୁଲିସ ପହଞ୍ଚିଯାଇ ତାଙ୍କୁ ଉଦ୍ଧାର କରିଥିଲା ।

ତେବେ କାହିଁକି ଏହି ବହୁଚର୍ଚ୍ଚିତ ଅପହରଣ କରାଯାଇଥିଲା , ଅଦ୍ୟାବଧି ଏହାର କାରଣ ତଦନ୍ତକାରୀ ପୁଲିସ ସ୍ପଷ୍ଟ କରିପାରିନାହିଁ । ଯଦିଓ ସେହି ସମୟରେ ଗିରଫ ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ସାମ୍ବାଦିକମାନଙ୍କୁ ‘ ଗୁଣ୍ଡା ତାଙ୍କ ଠାରୁ ତିନିବର୍ଷ ତଳେ ହନୁମାନ ମୁଦ୍ରା ଦେବାକୁ ୨ କୋଟି ୭୦ ଲକ୍ଷ ଟଙ୍କା ନେଇଥିବା ଏବଂ ଗୁଣ୍ଡା ସାହୁ ଏହା ଡାହାମିଛ ଓ ସେ କ୍ଷୀତିଶ ସାହୁକୁ ଜାଣି ନ ଥିବା ବା ଚିହ୍ନି ନ ଥିବା ଇତ୍ୟାଦି ପରସ୍ପର ବିରୋଧୀ କହିଥିଲେ । ପୁଲିସ ତରଫରୁ ମଧ୍ୟ ବିଗତ ଚାରିବର୍ଷ ମଧ୍ୟରେ ସେମାନଙ୍କ ମଧ୍ୟରେ କୌଣସିପ୍ରକାର ଫୋନ୍ ର ଯୋଗାଯୋଗର ପ୍ରମାଣ ମିଳି ନ ଥିବା ପ୍ରକାଶ କରାଯାଇଥିଲା । ତେବେ ଅଭିଯୁକ୍ତର ଆଗରୁ ବଲାଙ୍ଗୀରରେ ଠକେଇ ମାମଲା ରହିଥିବା ଓ ଏହି ଘଟଣାରେ ସେ କିଛିଦିନ ଆଗରୁ ଆସି ସହରର ଏକ ହୋଟଲରେ ରହି ଗୁଣ୍ଡାଙ୍କ ଗତିବିଧି ଉପରେ ନଜର ରଖି ଅପହରଣର ଯୋଜନା ପ୍ରସ୍ତୁତ କରାଯାଇଥିବା ପୁଲିସ ହାତରେ ପ୍ରମାଣ ଲାଗିଛି । ତେବେ ଶେଷସୁଦ୍ଧା ପୁଲିସ ଏହାକୁ ଟଙ୍କା ଆଦାୟ ପାଇଁ ଅପହରଣ ଓ ମୁଣ୍ଡଜାମିନ ରଖିବା ଅଭିଯୁକ୍ତର ଉଦ୍ଦେଶ୍ଯ ରହିଥିବା କୁହାଯାଇଥିଲା । ସାମ୍ବାଦିକ ସମ୍ମିଳନୀରେ ପୁଲିସ ଏହାପଛରେ ଯେଉଁ କାରଣ ଥିଲେ ବି ସମସ୍ତ ଦିଗକୁ ତଦନ୍ତର ପରିସରଭୁକ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

କିନ୍ତୁ ଗତକାଲି ମୁଖ୍ୟ ଅଭିଯୁକ୍ତ କ୍ଷୀତିଶକୁ ଦୁଇଦିନିଆ ରିମାଣ୍ଡରେ ଅଣାଯାଇ ପଚରାଉଚୁରା କରାଯାଇଥିଲେ ହେଁ , ଏହାପଛର କାରଣ ପ୍ରକାଶ ପାଇପାରିନାହିଁ । ଅପରପକ୍ଷରେ ଏକ ନିର୍ଭରଯୋଗ୍ୟ ଗଣମାଧ୍ୟମର ପ୍ରଚାରିତ ଖବର ସୂତ୍ରରୁ ‘ କେବଳ ଗୁଣ୍ଡାଙ୍କୁ ନୁହେଁ , ଆଉ ଦୁଇଜଣ ଅଣଓଡ଼ିଆ ବ୍ୟବସାୟୀଙ୍କୁ ମଧ୍ୟ ଅଭିଯୁକ୍ତର ଟାର୍ଗେଟ୍ ରହିଥଲା ଓ ସେମାନେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ‘ କିନ୍ତୁ ଏଭଳି ଅତିରଞ୍ଜିତ ଅପପ୍ରଚାର ଏହି ଆଇଜି ବଲାଙ୍ଗୀରର ଏସ୍ ପି ଥିଲାବେଳର ଅତୀତର କଣ୍ଟାବାଞ୍ଜିର ‘ଆଲିଶାନ୍’ ହୋଟେଲମାଲିକଙ୍କ ପୁଅକୁ ଅପହରଣ ଉଦ୍ୟମ ଭଳି ସମାନ ଶୈଳୀର ଅପପ୍ରଚାର ଓ ତାହାକୁ କେନ୍ଦ୍ର କରି କଟକରୁ କୌଶଳକ୍ରମେ କିଛି ପୁରୁଣା ଅପରାଧୀଙ୍କୁ ଡକାଇଆଣି ସୋନପୁର ଝିଙ୍କି ଟିକ୍ରା ପାଖ ଜଙ୍ଗଲରେ ବନାମ ବଲାଙ୍ଗୀର ପାଟଣାଗଡ ଥାନାନ୍ତର୍ଗତ ଗର୍ଜନ ନିକଟସ୍ଥ ଜଙ୍ଗଲରେ ଏକ ‘ଫେକ୍ ପୁଲିସ୍ ଏନ୍ କାଉଣ୍ଟର’ର ଚର୍ଚ୍ଚାର ସ୍ମରଣ କରାଇଦେଇଛି ।

ସେ ଯାହାହେଉ , ଏହି ଅପହରଣ ପଛର ପ୍ରକୃତ ଉଦ୍ଦେଶ୍ୟର ପୁଲିସ ପର୍ଦ୍ଦାଫାସ୍ କରିପାରି ନ ଥିଲାବେଳେ , ରିମାଣ୍ଡ୍ ରେ ଆସି ଜେଲ୍ କୁ ଫେରିଲାବେଳେ ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ‘ ଯାହା କହିଲେ ବି ଓଲଟା ବାହାରୁଛି ‘ ବୋଲି କ୍ଷୋଭପ୍ରକାଶ କରିଛି । ଉଲ୍ଲେଖଯୋଗ୍ଯ ଯେ ଗୁଣ୍ଡାଙ୍କ ପରଲୋକଗତ ବାପା ମଧ୍ୟ ତାଙ୍କ ହୋଟେଲରେ ଏଇ ହନୁମାନ ପଇସା ଦେବାକୁ ଭୁବନେଶ୍ବରରେ ଠକି ଟଙ୍କା ନେଇଯାଇଥିବା ୨ ଜଣ ବ୍ରହ୍ମପୁର ଅଞ୍ଚଳର ଯୁବକଙ୍କୁ ଦୀର୍ଘ ପ୍ରାୟ ୭/ ୮ ମାସ କାଳ ଏକ କୋଠରୀରେ ଅଟକବନ୍ଦୀ କରି ରଖିଥିଲେ ଓ ସେମାନେ ଦିନେ ସୌଭାଗ୍ୟକ୍ରମେ କୋଠରୀର ସ୍କାଏ ଲାଇଟ୍ ଭାଙ୍ଗି ଉପରମହଲାରୁ ଡେଇଁ ପଡି ବାହାଦୂର ହାତରେ ଧରାପଡି ଟାଉନଥାନାକୁ ହସ୍ତାନ୍ତରିତ ହୋଇଥିଲେ ଓ ଏ ସମ୍ପର୍କିତ ଏକ ମାମଲା ଋଜୁ ହୋଇ ତାଙ୍କୁ ଗିରଫ କରାଯାଇଥିଲା । ଏଣୁ ମୁଖ୍ୟ ଅଭିଯୁକ୍ତର ପ୍ରଥମରୁ କହୁଥିବା ହନୁମାନ ପଇସା ସମ୍ପର୍କର କଥାକୁ ମଧ୍ୟ ନଜରଅନ୍ଦାଜ କରିଦିଆଯାଇ ନ ପାରେ !

ଏତଦ୍ ବ୍ୟତୀତ ଏହାପଛରେ ଭୁବନେଶ୍ବରର ଏକ ଖବରକାଗଜରେ ପ୍ରକାଶିତ ଖବର ଅନୁଯାୟୀ , ମୁଖ୍ୟତଃ ବୌଦ୍ଧ କନ୍ଧମାଳର କଣ୍ଚଟାମାଳ ଅଞ୍ଚଳରୁ ସୋନପୁର ଓ ବଲାଙ୍ଗୀର ଦେଇ ପ୍ରାୟ ପ୍ରତିଦିନ ଶହ ଶହ କ୍ବିଣ୍ଟାଲ ଗଞ୍ଜେଇ ଚୋରାଚାଲାଣ, ସଂପ୍ରତି ବଲାଙ୍ଗୀରରେ କୋଟି କୋଟି ଟଙ୍କାର ଜମିବାଡିର କିଣାବିକା ବେପାର ପାଇଁ ହତ୍ୟାକାଣ୍ଡ ଓ ଅପହରଣ ଘଟୁଥିବା ଏବଂ ହାତୀଦାନ୍ତ, ବାଘଛାଲ , ବାଘଛୁଆ , ବଜ୍ରକାପ୍ତା ଇତ୍ୟାଦି ବିରଳ ବନ୍ୟପ୍ରାଣୀଙ୍କ ଅଙ୍ଗ ବା ବନ୍ୟଜନ୍ତୁ ଇତ୍ୟାଦି କୌଣସି କାରଣ ଥିବା ଅସମ୍ଭବ ନୁହେଁ !

ଏହି ଚାଞ୍ଚଲ୍ୟକର ଅପହରଣର ତର୍ଜମା କରାଗଲେ , କେତେକ ଅସ୍ବାଭାବିକ ବିଷୟ ଲକ୍ଷ୍ୟ କରାଯାଇଛି । ଏଗୁଡିକ ମଧ୍ୟରେ ପ୍ରଥମରୁ ତାଙ୍କ ଘରଲୋକଙ୍କ କହିଥିବାନୁଯାୟୀ ,ଘଟଣାଦିନ ମଧ୍ୟାହ୍ନରେ ଫୋନ୍ ରେ କାହାସହ ଗୁଣ୍ଡା ଉଚ୍ଚବାଚ ହୋଇଥିଲେ ଓ କୋଉଥିପାଇଁ ସେ ଏକାକୀ ଗାଡି ଧରି ଘରୁ ରଣ୍ଡା ବା କେଉଁ ଜମି କାହାକୁ ଦେଖାଇବାକୁ ବା ଦେଖିବାକୁ ବାହାରିଯାଇଥିଲେ ?

ସେହିପରି ଯଦି ଗୁଣ୍ଡା ସାହୁ ତାଙ୍କ ଠାରୁ ହନୁମାନ ପଇସା ଦେବାକୁ ପ୍ରକୃତରେ ଦୁଇ କୋଟି ସତୁରୀ ଲକ୍ଷ ଟଙ୍କା ନେଇଥିଲେ , ତାଙ୍କଠାରୁ ‘ ଏତେ ଟଙ୍କା ଦେଇ ପାରିବିନାହିଁ ‘କହି ଅସମର୍ଥତା ପ୍ରକାଶ କରିବାରୁ ମାତ୍ର ପଚାଶ ଲକ୍ଷ ଟଙ୍କାର ଲିଖିତ ପରିମାଣ ଅଭିଯୁକ୍ତମାନେ କିପରି ରାଜି ହୋଇଯାଇ ଫେରସ୍ତ ମାଗୁଥିଲେ ? ଏଣୁ ଏହିକଥାରେ ସତ୍ୟତା କେତେ ରହିଛି , ବିଚାରସାପେକ୍ଷ ! ତେବେ ଅପହରଣକାରୀ ମୁଖ୍ୟ ଅଭିଯୁକ୍ତ ଯଦି ଏଭଳି ଅପହରଣ କରି ତାଙ୍କ ଭଉଣୀ ଜଣେ ପୁଲିସ ଅଧିକାରୀ ଥିବାରୁ ପୁଲିସ ଥାନା ଜରିଆରେ ଟଙ୍କା ଅସୁଲି ପରି ସୁନିୟୋଜିତ ଅପରାଧ ଘଟାଇବାରେ ଅଭ୍ୟସ୍ତ , ତା’ ହେଲେ ସେ ବଲାଙ୍ଗୀରର ସ୍ଥାନୀୟ ସହଯୋଗୀଙ୍କୁ ନିୟୋଜିତ କରିବା , ଦିନଦ୍ବିପ୍ରହରରେ ଅପହରଣ କରିବା , ପୁଲିସ ବା ଥାନାକୁ ନେବା , ଲେଖାଇନେବା ବା ରେକର୍ଡ଼ିଂ କରିବା ଇତ୍ୟାଦି ଅଯୌକ୍ତିକ ଲାଗୁନାହିଁ କି ?

ସେହିପରି ମୁଖ୍ୟ ଅଭିଯୁକ୍ତର ପୁଲିସ ଏସ୍ ଆଇ ଭଉଣୀ ଖବର ପାଇ ଗିରଫ ହୋଇଥିବା ଭାଇକୁ ସମ୍ଭବତଃ ସାହାଯ୍ୟ କରିବାକୁ ଆସୁଥିବା ବା ସାଙ୍ଗରେ ଜଣେ ସାମ୍ବାଦିକଙ୍କୁ ଆଣିବାକୁ ଏକ କାହାଣୀ ପ୍ରସ୍ତୁତ କରି ସେମାନଙ୍କୁ ଗିରଫ କରିପକାଇବାରେ ସତ୍ୟତା କେତେ ରହିଛି ? କାରଣ ଉକ୍ତ ମହିଳା ପୁଲିସ ଅଧିକାରୀଙ୍କର ଅନୁଯାୟୀ ତାଙ୍କୁ ବଲାଙ୍ଗୀର ଓ ଭୁବନେଶ୍ବରର ବରିଷ୍ଠ ପୁଲିସ ଅଧିକାରୀମାନେ ଫସାଇଦେବା ‘ ଅଭିଯୋଗର ସତ୍ୟତା ମଧ୍ୟ ଉଚ୍ଚଅନୁସନ୍ଧାନସାପେକ୍ଷ । କାରଣ ଅନେକକ୍ଷେତ୍ରରେ କେତେକ ବରିଷ୍ଠ ପୁଲିସ ଅଧିକାରୀଙ୍କର କେତେକ ଫେକ୍ ତଦନ୍ତର କାହାଣୀ ବିରଳ ନୁହେଁ । ଏଥିଯୋଗୁଁ ପରୀ ହତ୍ୟାକାଣ୍ଡ ଠାରୁ ପାଟଣାଗଡ ପାର୍ଶଲ ବୋମା ଡବଲ ହତ୍ୟାକାଣ୍ଡ, ମମିତାମେହେର ହତ୍ୟାକାଣ୍ଡ ସହ ତାଙ୍କର ମୁଖ୍ୟ ଅଭିଯୁକ୍ତର ଜେଲ୍ ଭିତରେ ସନ୍ଦେହଜନକ ଅପମୃତ୍ୟୁ ପୁଲିସ୍ ଦ୍ବାରା ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଗୁଳିମାରି ହତ୍ୟାକାଣ୍ଡ ଠାରୁ ଏ ସି ଏଫ୍ ସୌମ୍ୟରଞ୍ଜନ ପୋଡିକୁ କ୍ରାଇମବ୍ରାଞ୍ଚର କ୍ଲିନ୍ ଚିଟ୍ ପରେ କୋର୍ଟ ଆଦେଶରେ ଡିଏଫଓ ଗିରଫ ଆଦି ଅନେକ ବିବାଦୀୟ ମାମଲା ଅସମାଧିତ ରହିଛି । ଅଦ୍ୟାପି ବର୍ଷ ବର୍ଷ ଧରି ଜନମାନସରେ ଉପରୋକ୍ତ ବହୁଚର୍ଚ୍ଚିତ ଚାଞ୍ଚଲ୍ୟକର ଅପରାଧ ମାମଲାର ତଦନ୍ତ ପ୍ରତି ସନ୍ଦେହ ରହିଆସିଛି ।

ଉଲ୍ଲେଖଯୋଗ୍ଯ ଯେ , ପୁଲିସ ଅଦ୍ୟାବଧି ଅପହୃତ ଗୁଣ୍ଡା ସାହୁଙ୍କର ମୋବାଇଲ ଫୋନ୍ କୁଆଡେ ଗଲା ବା ତହିଁର କଲ୍ ଡି ଟେ ଲ୍ ସ ପୁଲିସ ଉଜାଗର କରୁ ନ ଥିବା ସହ ଅନ୍ୟକିଛି ଗୁରୁତର ତଥ୍ୟକୁ ଲୁଚାଇ ଗପ ପ୍ରଚାର କରୁଥିବା ଲୋକେ ସନ୍ଦେହ କରୁଛନ୍ତି ।

Leave a Reply

Your email address will not be published. Required fields are marked *

Related Post