ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ
ଡିଏଫଓ, ଏସି ଏଫ୍ ଓ ରେଞ୍ଜର ସମ୍ପୃକ୍ତ ଅଭିଯୋଗ
ସରକାରୀ ଯୋଜନାର ଲକ୍ଷ ଲକ୍ଷ ଟଙ୍କାର ଜାଲିଆତି
ବଦଳି ପରେ ଅନ୍ୟ ଫରେଷ୍ଟରଙ୍କ ଦ୍ବାରା ବିଲ୍ ଭାଉଚର
ବଲାଙ୍ଗୀର : ଗତ ୨୦ ତାରିଖରେ ବଲାଙ୍ଗୀର ବନଖଣ୍ଡର ବଲାଙ୍ଗୀର ରେଞ୍ଜ୍ ର ଜଣେ ଫରେଷ୍ଟର ଅଫିସ ପଛପଟ ତାଙ୍କ କ୍ବାର୍ଟରରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିବା ଘଟଣା ପଛରେ ତାଙ୍କ ପରିବାର ପକ୍ଷରୁ ଗଣମାଧ୍ୟମ ଆଗରେ ଉପରିସ୍ଥ ଅଧିକାରୀଙ୍କ ଚାପ , ନିର୍ଯାତନା ସହ ୫ ଲକ୍ଷ ଟଙ୍କାର ପିସି ଦାବି ଅଭିଯୋଗ ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।
ଗତକାଲି ବିଧାନସଭାରେ ପଡୋଶୀ ନୂଆପଡା ଜିଲ୍ଲାର ସୁନାବେଡା ବନ୍ୟପ୍ରାଣୀ ବନଖଣ୍ଡରେ ହୋଇଥିବା ୩ କୋଟି ଟଙ୍କାର ଦୁର୍ନୀତିରେ ଡି ଏଫ ଓ, ଏ ସି ଏଫ୍ ଓ ଜଣେ କିରାଣୀ ପ୍ରମୁଖଙ୍କର ସମ୍ପୃକ୍ତି ରହିଥିବା ବିଭାଗୀୟ ମନ୍ତ୍ରୀଙ୍କ ଦ୍ବାରା ତଥ୍ୟପ୍ରକାଶ ପାଇଛି । ପ୍ରକାଶଯୋଗ୍ୟ ଯେ ଉକ୍ତ ଅଭିଯୁକ୍ତ ଏଷ୍ଟାବ୍ଲିଶ୍ ମେଣ୍ଟ କିରାଣୀଙ୍କୁ ତଦନ୍ତ ପରେ ନିଲମ୍ବିତ କରାଯାଇଛି । ଏଣୁ ଅନୁରୂପ ଭାବେ ବଲାଙ୍ଗୀର ବନଖଣ୍ଡରେ ଗତ କିଛିବର୍ଷ ହେଲା ଅଭିଯୋଗ ପ୍ରକାଶ ପାଇ ଆସୁଥିବା ବିଭିନ୍ନ ସରକାରୀ ଯୋଜନାର ଏକ ଭିଜିଲାନ୍ସ ତଦନ୍ତର ଆବଶ୍ୟକତା ରହିଛି । ଏହି ଫରେଷ୍ଟରଙ୍କ ଆତ୍ମହତ୍ୟା ପଛର କାରଣ ସ୍ବରୂପ ତାଙ୍କ ପରିବାର ପକ୍ଷରୁ ଉଠିଥିବା ଉପରିସ୍ଥ ଅଧିକାରୀଙ୍କ ଚାପ, ମାନସିକ ନିର୍ଯାତନା ଓ ପିସି ପ୍ରସଙ୍ଗ ଏହି ବିଭାଗର ଡିଏଫଓ, ଏ ସି ଏଫ ଓ ରେଞ୍ଜର ସମେତ କେତେକ କିରାଣୀଙ୍କ ଆଡକୁ ଇଙ୍ଗିତ କରୁଛି । ଏହି ଅନୁଯାୟୀ , ସଂପ୍ରତି ଏଠାରେ ବଲାଙ୍ଗୀର ବନଖଣ୍ଡର ଡିଏଫଓ ଭାବରେ ଗତ ୧୮ । ୪ । ୨୦୨୫ ରୁ ଏହି ଜିଲ୍ଲାରେ ଦୀର୍ଘବର୍ଷ ଧରି ରହିଥିବା କେନ୍ଦୁପତ୍ର ଓ ବନବିଭାଗର ରେଞ୍ଜରରୁ ଏସିଏଫ୍ ପଦୋନ୍ନତି ପାଇଥିବା ଅଜିତ ବିଶି ଡିଏଫଓ ଭାବରେ ଅବସ୍ଥାପିତ ଅଛନ୍ତି । ତାଙ୍କ ପୂର୍ବରୁ ଜଣେ ଆଇ ଏଫ ଏସ୍ ନିତିଶ କୁମାର ଡିଏଫଓ ଥିଲାବେଳଠାରୁ ଏଭଳି ଦୁର୍ନୀତି ଓ ବିବାଦ ଏହି ବନଖଣ୍ଡର ପିଛା ଛାଡ଼ିନାହିଁ । ବରଂ ଏଇ ବର୍ଷକ ମଧ୍ୟରେ ବୃଦ୍ଧି ପାଇଥିବା ଅଭିଯୋଗ ହେଉଛି । ବନୀକରଣ ଠାରୁ ସଂରକ୍ଷଣ, ଉନ୍ନୟନ କାମ ଓ ଚୋରାକାଠ ଧରପଗଡ ସହ ବିରଳ ବନ୍ୟପ୍ରାଣୀଙ୍କ ସୁରକ୍ଷା ଇତ୍ୟାଦିର କଥା ଉଠିଛି । ମଝିରେ କିଛିଦିନ ପାଇଁ ବିଶିବାବୁ ପଡୋଶୀ ସୁବର୍ଣ୍ଣପୁର ବନଖଣ୍ଡର ଭାରପ୍ରାପ୍ତ ଡିଏଫଓ ଭାବେ ମଧ୍ୟ ଦାୟିତ୍ବ ସମ୍ଭାଳି ଥିଲେ । ସେଠାରେ ମଧ୍ୟ ଅନୁରୂପ ଦୁର୍ନୀତିର ଅଭିଯୋଗ ଉଠିଆସିଛି ।
ଏହି ଦୁର୍ନୀତି ସୁଚତୁର ଭାବରେ କେତେକ ବିଭାଗୀୟ ଅଧିକାରୀଙ୍କ ଜରିଆରେ ଚାଲିଥିବା ଏବେ ଉପରୋକ୍ତ ଫରେଷ୍ଟରଙ୍କ ଆତ୍ମହତ୍ୟା ମାମଲା ପରେ ପଦାକୁ ଆସିଛି । ଅଭିଯୋଗ ଅନୁଯାୟୀ , ମନରେଗା , କାମ୍ପା ବା ଆମ ଜଙ୍ଗଲ ଯୋଜନା , ରାସ୍ତା ପାର୍ଶ୍ବ ବନୀକରଣ, ନର୍ସରୀ ବା ଚାରା ଉତ୍ପାଦନ, ସହରାଞ୍ଚଳ ବନୀକରଣ, ଗ୍ରୀନ୍ ମହାନଦୀ ଯୋଜନା ଇତ୍ୟାଦି ପ୍ରାୟ ସବୁ ଉନ୍ନୟନ କାମ , ହାତୀହତ୍ୟା ବା ହାତୀ ମଣିଷ ମାରିବା , ବଜ୍ରକାପ୍ତା ଚୋରାଚାଲାଣ, କାଠ ବାଉଁଶ ଚୋରାଚାଲାଣ, ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଖଣିଜ ଦ୍ରବ୍ୟ ବା ବେଆଇନ ରତ୍ନପଥର ଖୋଳା , ନର୍ସରୀ , ବିଭାଗର ଘର ପାଚେରୀ ବାରାକ୍ ଆଦି ନିର୍ମାଣ ଆଦି ସବୁ କୋଟି କୋଟି ଟଙ୍କାର ସରକାରୀ ଯୋଜନା ଓ ପ୍ରକଳ୍ପରୁ ମିଥ୍ୟାବିଲ୍ , ପିସି ଚାଲିଛି । ଏଥିରେ ଫରେଷ୍ଟଗାର୍ଡଙ୍କ ଠାରୁ ଫରେଷ୍ଟର, ରେଞ୍ଜର, ଏସି ଏଫ୍ ଓ ଡିଏଫଓଙ୍କ ପର୍ଯ୍ୟନ୍ତ ସମସ୍ତେ ସାମିଲ୍ ରହିଥିବା ଜନସାଧାରଣଙ୍କ ମଧ୍ୟରେ ଆଲୋଚନା ଓ ଏହା ଗଣମାଧ୍ୟମରେ ମଧ୍ୟ ପ୍ରକାଶ ପାଇ ଆସୁଥିଲେ ହେଁ , ବିଭକଗୀୟ ଏବଂ ରାଜନୈତିକ ସଂରକ୍ଷଣ ଯୋଗୁଁ ସେସବୁର ସଠିକ୍ ତଦନ୍ତ ବା ସମୀକ୍ଷା ହେଉନାହିଁ ।
ଉଲ୍ଲେଖଯୋଗ୍ଯ ଯେ କିଛିବର୍ଷ ତଳେ ବଲାଙ୍ଗୀର ସିଲଭିକଲଚର ବିଭାଗର ଜଣେ ଭାରପ୍ରାପ୍ତ ରେଞ୍ଜର କଳାହାଣ୍ଡିର ଭବାନିପାଟଣାର ତାଙ୍କ ସରକାରୀ କ୍ବାର୍ଟରରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ଏହାର କାରଣ ସ୍ବରୂପ ସେ ସେଠାରେ ଜାରିଙ୍ଗ ସେଣ୍ଟ୍ରାଲ ନସର୍ରୀରେ କରିଥିବା କାମର ବିଲ୍ ଅଟକାଇ ରଖି ତାଙ୍କ ରାୟଗଡା ଡିଏଫଓଙ୍କ ଦ୍ବାରା ଲକ୍ଷାଧିକ ଟଙ୍କାର ପିସି ଦାବି ପୂରଣ କରିପାରି ନ ଥିବା ପ୍ରକାଶ ପାଇଥିଲା । ଶେଷରେ ଏହା ଚପାଇ ଦିଆଗଲା !
ତେବେ ଏହି ବଲାଙ୍ଗୀର ବନବିଭାଗର ବନପାଳ ବ୍ୟାସଦେବ ସାହୁ ଆତ୍ମହତ୍ୟାର ଅନ୍ତରାଳରେ ଯେଉଁ ଗୁରୁତର ଅଭିଯୋଗ ଓ ଚର୍ଚ୍ଚା ପ୍ରକାଶ ପାଇଛି , ତାହା ହେଲା ସେ ଦେଓଗାଁ’ ରେଞ୍ଜ୍ ରେ ଅବସ୍ଥାପିତ ଥିଲାବେଳେ ସୁନାଡୁଙ୍ଗୁରି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଏକ ନର୍ସରୀ , ଷ୍ଟାଫ୍ କ୍ଵାର୍ଟର ସମେତ ନୂତନ ଅଫିସ୍ କୋଠା ଓ ବାରାକ୍ ଇତ୍ୟାଦିର କାମ କରିଥିଲେ । କାମ କରିଥିଲାବେଳେ ସରକାରୀ ବିଲ୍ ଆସିବା ବିଳମ୍ବ ହୋଇଥିବାରୁ ସେ ବାହାରୁ ସୁଧରେ ଟଙ୍କା ଆଣି , ଘରର ସୁନାରୂପା ବିକି ବା ବନ୍ଧକ ରଖି , ବର୍ଷ ବର୍ଷର ଦରମା ଟଙ୍କା ଦେଇ କାମର କୁଲିମଜୁରୀ ଦେଇଥିଲେ । କିନ୍ତୁ ତାଙ୍କୁ ବଲାଙ୍ଗୀର ରେଞ୍ଜ କୁ ବଦଳି ପରେ ଟଙ୍କା ଆସିଲାବେଳକୁ ରେଞ୍ଜରଙ୍କ ସହ ଅନ୍ୟଜଣେ ଫରେଷ୍ଟର ଜନ୍ମେଜୟ ପାଣିଗ୍ରାହୀ ଓ ଜଣେ ଅଣତାଲିମ ପ୍ରାପ୍ତ ଆଟଗାଁ’ ଫରେଷ୍ଟର କୈଳାସ ଚନ୍ଦ୍ର ସାହୁ ଟ୍ରେନିଂ ଯିବାରୁ ରେଞ୍ଜର ତାଙ୍କ ସ୍ଥାନକୁ ୪ ମାସ ଖାଲି ରଖି ସେ ଫେରିବାପରେ ତାଙ୍କୁ ସେହିଠାରେ ଅବସ୍ଥାପିତ କରାଇଥିଲବା ପ୍ରକାଶ । ସର୍ବୋପରି ସେମାନଙ୍କ ନାଁ’ରେ ପ୍ରାୟ ୨୦ ଲକ୍ଷର ବିଲ୍ ଭାଉଚର କରାଯାଇ ବ୍ୟାସଙ୍କୁ ସେଥିରୁ ସମ୍ପୂର୍ଣ୍ଣ ବଞ୍ଚିତ କରି ଦିଆଗଲା । ଏହି କାରସାଦୀରେ ଡିଏଫଓ ଓ ଏସିଏଫ୍ ଙ୍କ ଜ୍ଞାତସାରରେ ରେଞ୍ଜର ଓ ଦେଓଗାଁ ରେଞ୍ଜ୍ ର ଜଣେ ଆଉଟ୍ ସୋର୍ସିଂ ଡିଇଓ ରଜନୀକାନ୍ତ ମହାନ୍ତି, ଡିଭିଜନ ଅଫିସ୍ ର ମୁଖ୍ୟକିରାଣୀ ସୁଧୀର ତ୍ରିପାଠୀ ଓ ବରିଷ୍ଠ କିରାଣୀ ସାମିଲ୍ ରହିଥିବା କୁହାଯାଉଛି । ଡିଏଫଓଙ୍କୁ ଡାହାଣ ହାତ ଭାବରେ ଜଣାଶୁଣା ହେଡକ୍ବାର୍ଟର ରେଞ୍ଜର ନବୀନ ପଣ୍ଡାଙ୍କ ଇଚ୍ଛାମୁତାବକ ଏଠୁ ସେଠିକି ବଦଳି , ଡେପୁଟେସନ କରାଇ ଏସବୁ ଦୁର୍ନୀତିର ମୁଖ୍ୟ କାର୍ପଟଦାର ସାଜିଥିବା ଲୋକଙ୍କ ଚର୍ଚ୍ଚାରୁ ପ୍ରକାଶ । ଯଦିଓ ସେ ଏହାକୁ ଅସ୍ୱୀକାର କରନ୍ତି ।
ତେବେ ସେ ଯାହାହେଉ, ବଲାଙ୍ଗୀର ବନଖଣ୍ଡର ଏହି ଫରେଷ୍ଟରଙ୍କ ଆତ୍ମହତ୍ୟା ଘଟଣା ପରେ ଏସବୁ ବିଭାଗୀୟ ଅନିୟମିତତାର ଚର୍ଚ୍ଚା ଉଠିଛି । ମୁଖ୍ୟତଃ ବ୍ୟାସଦେବ ସାହୁଙ୍କୁ ବିଭିନ୍ନ ଆଳରେ ଶୋଷଣ କରାଯାଉଥିବାର ଅଭିଯୋଗ ହେଉଛି । ଫଳରେ ସେ ବର୍ଷାଧିକ କାଳ ଧରି ପ୍ରତିମାସର ସବୁଯାକ ଦରମା ଟଙ୍କା ଦେଉଥିବା ସହିତ ଚଢାସୁଧରେ ବାହାରୁ ଟଙ୍କା ଧାରକରଜ କରି ସୁଝି ନ ପାରି ହାରିଯାଇଥିଲେ ବୋଲି ତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ଉଲ୍ଲେଖଯୋଗ୍ଯ ଯେ ଏବେ ବଲାଙ୍ଗୀର ବନଖଣ୍ଡରେ ବଦଳି ହୋଇ ଆସିଥିବା କେତେକ କଳାହାଣ୍ଡିଆ ବନ ଅଧିକାରୀଙ୍କ ଉପଦ୍ରବ ଚାଲିଛି ବୋଲି କେତେକ ବିଭାଗୀୟ କର୍ମଚାରୀଙ୍କ ଠାରୁ ଅସନ୍ତୋଷ ପ୍ରକାଶ ପାଉଛି । ତେବେ ଅଭିଯୁକ୍ତଙ୍କ ପକ୍ଷରୁ ଉପରୋକ୍ତ ଅଭିଯୋଗକୁ ଅସ୍ୱୀକାର କରାଯାଉଛି ।
ଆହୁରି ମଧ୍ଯ ସ୍ଥାନୀୟ ଲକ୍ଷ୍ମୀଯୋର ଥାନାରେ ଏ ସମ୍ପର୍କରେ ଏକ ମାମଲା ଋଜୁ କରାଯାଇ ତଦନ୍ତ କରାଯାଉଛି । ବଲାଙ୍ଗୀର ଏସଡିପିଓ ସରୋଜ ଉପାଧ୍ୟାୟ ଓ ଏହି ଥାନାର ଆଇ ଆଇ ସି ସଞ୍ଜୟ କୁମାର ସାହୁ ଏହି ମାମଲାର ସବୁ ଦିଗକୁ ତଦନ୍ତର ପରିସରଭୁକ୍ତ କରାଯାଉଥିବା ପ୍ରକାଶ କରିଥିଲେ ହେଁ , ଦେଓଗାଁ’ ରେଞ୍ଜ୍ ର ବିଭାଗୀୟ ଯୋଜନା ବା ପ୍ରକଳ୍ପର ଉପରୋକ୍ତ ଅନିୟମିତତାର ତଥା ଉପରୋକ୍ତ ବିଭାଗୀୟ କାରସାଦୀର ତଦନ୍ତରେ କେତେଦୂର ତାଙ୍କ ହାତ ପାଇବ , ଏ ନେଇ ସନ୍ଦେହ ରହୁଛି । ସର୍ବୋପରି ମୃତକ ଜଣେ ଦାୟିତ୍ବସମ୍ପନ୍ନ ବରିଷ୍ଠ ସରକାରୀ ଅଧିକାରୀ ଥିଲେ ହେଁ , ଯଦି ଏହା ଏକ ଆତ୍ମହତ୍ୟା ହୋଇଥାଏ , ତାଙ୍କର କୌଣସି ସୁଇସାଇଡାଲ୍ ନୋଟ୍ ମିଳିନାହିଁ କିମ୍ବା ଏହାକୁ ଗାଏବ୍ କରିଦିଆ ଯାଇଛି ? ତାଙ୍କ ଫୋନ୍ ର ସିଡିଆର୍ ମଧ୍ୟ ପୁଲିସ ହାତରେ ରହିଛି । ଏହି ଅଭାବନୀୟ ଘଟଣାକୁ ନେଇ ରାଜ୍ୟବ୍ୟାପି ଚର୍ଚ୍ଚା ପ୍ରକାଶ ପାଇଥିବା ବେଳେ , ପୋଷ୍ଟମର୍ଟମ ରିପୋର୍ଟ, କଲ୍ ଡିଟେଲସ୍ ଓ ସୁଇସାଇଡାଲ୍ ନୋଟ୍ ଆଦି ତଦନ୍ତକାରୀ ପୁଲିସ ଅଧିକାରୀଙ୍କର କେବେ ହସ୍ତଗତ ହେବ , ଅସ୍ପଷ୍ଟ ରହିଥିବାରୁ ଏହି ବହୁଚର୍ଚ୍ଚିତ ହାଇଲାଇଟ୍ ମାମଲାର ତଦନ୍ତ ପ୍ରତି ମଧ୍ଯ ଲୋକେ ଅଙ୍ଗୁଳି ଉଠାଇବା ଆରମ୍ଭ କଲେଣି ।
ଏଣୁ ସ୍ଥାନୀୟ ବିଧାୟକଙ୍କ ଦ୍ବାରାଏହା ଚଳିତ ବିଧାନସଭାରେ ଉଠାଯାଇ ସରକାରଙ୍କ ପକ୍ଷରୁ ଏହାର ଏକ କ୍ରାଇମବ୍ରାଞ୍ଚ ତଦନ୍ତ କରାଯିବାକୁ ଲୋକେ ଦାବି କରୁଛନ୍ତି ।
