ଭବାନୀପାଟଣା : ୧୪ ତାରିଖ ପୂର୍ବାହ୍ନରେ କଳାହାଣ୍ଡି ଜିଲ୍ଲାର ଉପାନ୍ତ ବ୍ଲକ୍ କର୍ଲାମୁଣ୍ଡା ବ୍ଲକର ରିଷିଡା ପଞ୍ଚାୟତର ମାତୃକୃପା ଅଞ୍ଚଳରେ ମନରେଗା ପ୍ରକଳ୍ପର ଗାତଖୋଳା କାମ ଚାଲିଥିବା ବେଳେ ରିଷିଡା ଗାନ୍ଧୀନଗରପଡାର ଜଣେ ପ୍ରାୟ ୬୫ ବର୍ଷ ବୟସ୍କ ବୃଦ୍ଧଶ୍ରମିକ ଜବ କୁମ୍ଭାରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଯାଇଥିବା ପ୍ରକାଶ । ତାଙ୍କୁ ତୁରନ୍ତ ରିଷିଡା ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା ଓ ଡାକ୍ତର ତାଙ୍କୁ ମୃତଘୋଷଣା କରିଥିଲେ । ୬୦ ବର୍ଷ ବୟସରୁ ଉର୍ଦ୍ଧ୍ବ ବୟସର ଶ୍ରମିକଙ୍କୁ ମନରେଗା କାମରେ ନିୟୋଜିତ କରାଯିବା ମନରେଗା ଗାଇଡ୍ ଲାଇନ୍ ର ଉଲଙ୍ଘନ ବୋଲି ଅଭିଯୋଗ ହୋଇଥିବା ବେଳେ ପଞ୍ଚାୟତର ଜିଆର୍ ଏସ୍ ଏହି ଶ୍ରମିକଙ୍କୁ ନିୟୋଜିତ କରିଥିବା କୁହାଯାଉଛି ।
ଖବର ପାଇ କର୍ଲାମୁଣ୍ଡା ବିଡିଓ ସୁଶ୍ରୀ ସୁଚରିତା ମୁଗ୍ରୀ , ଏସପିଓ ଲିଜା ବରିହା , ଭାରପ୍ରାପ୍ତ ବି ଏସ୍ ପ୍ରଦୀପ କୁମାର ମାଝୀ , ସରପଞ୍ଚ ସେବତୀ ରଣା , ପିଇଓ ଦେବରାଜ ରଣା ପ୍ରମୁଖ ପହଁଞ୍ଚି ଘଟଣାର ତଦନ୍ତ କରିଥିଲେ । ବିଡିଓ ମୃତଶ୍ରମିକଙ୍କ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନା ଓ ସରକାରୀ ଗାଇଡ୍ ଲାଇନ୍ ଅନୁଯାୟୀ ଅନ୍ଯାନ୍ଯ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ପ୍ରକାଶ । ତେବେ ଏହି ପ୍ରକଳ୍ପର ଫାଇଲ୍ ଖୋଲାଯାଇ ଜେଇ , ଏଇ , ବିଡିଓ ଆଦିଙ୍କର ଅନୁମୋଦନ ହୋଇଥିବା , ଉକ୍ତ ମୃତଶ୍ରମିକଙ୍କର ଜବ୍ କାର୍ଡ ଭେରିଫିକେଶନ ଆଦିରେ ହିତାଧିକାରୀଙ୍କ ବୟସ କେହି କିପରି ଜାଣିପାରିଲେ ନାହିଁ ଓ ଏପରି ଅକାଳମୃତ୍ୟୁ ପାଇଁ କିଏ ଦାୟୀ , ଏହାର ତଦନ୍ତ କରାଯିବା ଦରକାର ।
ପ୍ରକାଶଯୋଗ୍ୟ ଯେ ଏହି ବ୍ଲକ୍ ର ପୂର୍ବରୁ ଅଦ୍ୟାବଧି ମନରେଗା ଓ ଅନ୍ଯାନ୍ଯ ସରକାରୀ ଯୋଜନାର ବ୍ୟାପକ ଅନିୟମିତତାର ଅଭିଯୋଗକୁ ଅଭିଯୋଗ ସତ୍ତ୍ବେ ଚପାଇ ଦିଆଯାଇ ଆସୁଛି । ଏଥିମଧ୍ୟରେ ମେସିନରେ କାମ କରାଯାଇ ମିଛଶ୍ରମିକ , ମିଥ୍ୟା ଶ୍ରମଦିବସ ଆଦି ମଷ୍ଟରରୋଲରେ ଦର୍ଶାଯିବା , ପିଆଇ ମେମ୍ବରମାନେ ଠିକା କରୁଥିବା , ମିଥ୍ୟାବିଲ୍ ଇତ୍ୟାଦିରେ କୋଟି କୋଟି ଟଙ୍କାର ବାଟମାରଣା ହୋଇଆସୁଛି । ବିଡିଓ, ଯନ୍ତ୍ରୀଙ୍କ ସମେତ ପିଇଓ ପ୍ରମୁଖଙ୍କ ଘନ ଘନ ବଦଳି କରାଯାଇ ଦୁର୍ନୀତିକୁ ଚପାଇ ଦିଆଯିବା ଏହି ୫ ପଞ୍ଚାୟତ ବିଶିଷ୍ଟ ଛୋଟ ବ୍ଲକ୍ ଟିର ବଡ କେଳେଙ୍କାରୀ ।
ଏଣୁ ଏହି ଘଟଣା ସମେତ ଗତବର୍ଷମାନଙ୍କର ସରକାରୀ ଯୋଜନାର ଦୁର୍ନୀତିର ଏକ ପୁଙ୍ଖାନୁପୁଙ୍ଖ ଉଚ୍ଚସ୍ତରୀୟ ଭିଜିଲାନ୍ସ ତଦନ୍ତ ଜରୁରୀ । ଏହି ଦୁର୍ଭାଗ୍ଯଜନକ ବୟସ୍କ ଶ୍ରମିକ ବନାମ ମନରେଗା ହିତାଧିକାରୀଙ୍କ ମୃତ୍ୟୁମାମଲାକୁ ତାଙ୍କ ପଡା ଓ ପରିବାରର ଲୋକଙ୍କୁ ଟଙ୍କା ଦିଆଯାଇ ମୃତକଙ୍କ ପରିବାରର ମୁହଁ ବନ୍ଦ କରିଦିଆଯାଇଥିବା ଆଲୋଚନା ହେଉଛି । ତଳୁ ଉପର ପର୍ଯ୍ୟନ୍ତ ସମସ୍ତ ଅଧିକାରୀ ଓ ନିର୍ବାଚିତ ଲୋକପ୍ରତିନିଧିଙ୍କର ଏହି ଚପାଇବାରେ ହାତ ରହିଥିବା କୁହାଯାଉଛି ।
